ସରକାରୀ ଭାବେ ଘୋଷଣା ହେଲା ପାକ ନିର୍ବାଚନ ଫଳ: ଇମ୍ରାନଙ୍କ ଦଳକୁ ସର୍ବାଧିକ ଆସନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ ନିର୍ବାଚନ ପରେ ଆଜି ଔପଚାରିକ ଭାବେ ଘୋଷିତ ହୋଇଛି  ରେଜଲ୍ଟ। ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହେରିକ ଏ ଇନସାଫ୍‌କୁ ସର୍ବାଧିକ ଆସନ ମିଳିଥିବା ଜଣାପଡ଼ିଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨ ସଦସ୍ୟ ବିଶିଷ୍ଟ ଜାତୀୟ ଆସେମ୍ବ୍ଲିର ୨୫୧ଟି ଆସନରୁ ପାକିସ୍ତାନ ତେହେରିକ ଏ ଇନସାଫ ସର୍ବାଧିକ ୧୧୬ଟି ଆସନରେ ବିଜୟୀ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌ (ଏନ୍‌)୬୩ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ୪୨ଟି ଆସନରେ ବିଜୟୀ ହୋଇଛି। ତେବେ ୨୧ଟି ଆସନରେ ଏଯାଏ ଗଣନା ଶେଷ ହୋଇନଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ଇମ୍ରାନଙ୍କ ଦଳ ସର୍ବାଧିକ ଆସନ ହାସଲ କରିଥିଲେ ମଧ୍ୟ ମ୍ୟାଜିକ ନମ୍ବର ୧୩୭ ଛୁଇଁବା ପାଇଁ ତାଙ୍କୁ ସ୍ୱାଧୀନ ଓ ଅନ୍ୟ ଛୋଟ ଦଳଙ୍କ ସମର୍ଥନ ଉପରେ ନିର୍ଭର କରିବାକୁ ପଡ଼ିବ। ସେପଟେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପାକିସ୍ତାନ ମୁସଲିମ ଲିଗ୍‌ (ଏନ୍‌) ଏହି ରେଜଲ୍ଟକୁ ପ୍ରତ୍ୟାଖାନ କରିଛି। ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଜନାଦେଶକୁ ହତ୍ୟା କରାଯାଇଥିବା ଦଲ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ପଡ଼ୋଶୀ ପାକିସ୍ତାନରେ ରାଜନୈତିକ ପରିବର୍ତ୍ତନର ହାଓ୍ୱାକୁ ଦେଖି ଭାରତରେ କଲ୍ପନାଜଳ୍ପନା ଲାଗିରହିଛି। ସ୍ପଷ୍ଟ ବହୁମତ ମିଳିନଥିଲେ ବି ପୂର୍ବତନ ପାକ୍‌ କ୍ରିକେଟ୍ କ୍ୟାପଟେନ୍ ଇମ୍ରାନ୍ ଖାନ୍ ପ୍ରେସମିଟ୍ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସହ ତାଙ୍କ ଦଳ ବିଜୟୀ ହୋଇଥିବା ଘୋଷଣା କରିସାରିଛନ୍ତି। ତେବେ ସରକାର ଗଠନ ଲାଗି ସେ କେଉଁଠୁ ସମର୍ଥନ ଆଣିବେ ତାକୁ ନେଇ ଅଙ୍କକଷା ଚାଲିଥିବା ବେଳେ କାଶ୍ମୀରକୁ ନେଇ ତାଙ୍କ ମନ୍ତବ୍ୟ ଓ ଭାରତ-ପାକିସ୍ତାନ ସଂପର୍କ କେଉଁ ଦିଗରେ ଯିବ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ସ୍ପଷ୍ଟ ବହୁମତ ପାଇନଥିବା ଇମ୍ରାନଙ୍କ ଦାମ୍ଭିକତା ପଛରେ କଣ ଥାଇପାରେ କାରଣ? ତାଙ୍କ ପ୍ରତି ରହିଛି କି ପ୍ରଭାବଶାଳୀ ପାକିସ୍ତାନୀ ସେନାର ପ୍ରଚ୍ଛନ୍ନ ସମର୍ଥନ? କାରଣ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫଙ୍କ ପାକିସ୍ତାନ ମୁସ୍‌ଲିମ୍‌ ଲିଗ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ଅଭିଯୋଗ ଆଣିଛନ୍ତି। ଦୁର୍ନୀତି ମାମଲାରେ ଜେଲରେ ଥିବା ସରିଫ ଗତକାଲି ଫଳାଫଳକୁ ନେଇ ମୁହଁ ଖୋଲିବା ସହ ପାକିସ୍ତାନ ନିର୍ବାଚନକୁ ଅପହରଣ କରାଯାଇଥିବାର ଅଭିଯୋଗ ଆଣିଛନ୍ତି। ଦେଶର ଗଣତନ୍ତ୍ର ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡିବ ବୋଲି ଚେତାଇ ଦେଇଛନ୍ତି ସରିଫ୍। ତେଣୁ ପାକିସ୍ତାନରେ ପରବର୍ତ୍ତୀ ସରକାର ଗଠନ ଓ ସେନାର ଭୂମିକା ଉପରେ ସାରା ବିଶ୍ୱର ନଜର ରହିଛି।

ଏପଟେ ଦାୟିତ୍ୱ ନନେଉଣୁ ଇମ୍ରାନ ଭାରତ ଓ ଭାରତୀୟ ଗଣମାଧ୍ୟମ ସଂପର୍କରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ମଧ୍ୟ ଉତ୍ସାହଜନକ ନୁହେଁ। ସେହିପରି ଦୁଇ ଦେଶର ସଂପର୍କ ସୁଧୁରିବା ଦିଗରେ ସେ କାଶ୍ମୀରକୁ ମୁଖ୍ୟ କଣ୍ଟା ଭାବେ ଦେଖୁଛନ୍ତି। ସେପଟେ ଇମ୍ରାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଭାରତ ଚାହେଁ ନାହିଁ ବୋଲି ପାକିସ୍ତାନରେ ପ୍ରଚାର ହେଉଛି। ସେ ଦୃଷ୍ଟିରୁ ପାକିସ୍ତାନରେ ରାଜନୈତିକ ଦୃଶ୍ୟପଟ୍ଟ କଣ ରହୁଛି ଓ ଏଲ୍ଓସିରେ ସରକାର ପରିବର୍ତ୍ତନର କଣ ପ୍ରଭାବ ପଡୁଛି, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More