ରେଜଲ୍ଟ ବାହାରିବାରେ ଡେରି, ବଢ଼ୁଛି ସନ୍ଦେହ: ସେନା ସମର୍ଥିତ ଇମ୍ରାନ୍‌ ହେବେ ପ୍ରଧାନମନ୍ତ୍ରୀ!

ଇସ୍‌ଲାମାବାଦ: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ଘଟିଲା। ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ପାକିସ୍ତାନରେ ଦ୍ୱିତୀୟ ଥର ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେଇଥିଲେ ହେଁ ଦେଶର ସେନା, ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ଆତଙ୍କବାଦୀ ସଂଗଠନର ଗେହ୍ଲା ପୁଅ ସାଜିଥିବା ପାକିସ୍ତାନ ତେହେରିକ୍‌-ଇ-ଇନସାଫ୍‌ (ପିଟିଆଇ)ର ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍‌ ଇମ୍ରାନ୍‌ ଖାନ୍‌ ସରକାର ଗଠନ କରିବାକୁ ଯାଉଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା। କିନ୍ତୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଯାଏ ଫଳାଫଳ ନେଇ କୌଣସି ଘୋଷଣା କରାଯାଇ ନାହିଁ। ନିୟମ ଅନୁସାରେ ଭୋଟ୍‌ ଗ୍ରହଣର ୨୪ ଘଣ୍ଟା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବା କଥା। ହେଲେ ରେଜଲ୍ଟ ଠିକ୍‌ ସମୟରେ ପ୍ରକାଶ ପାଇ ନଥିବାରୁ ଦେଶବାସୀ ଅନିୟମିତତାର ଗନ୍ଧ ବାରିଛନ୍ତି। ସେନା ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିବାରୁ ଭୋଟ୍‌ ଗଣତିରେ ହେରଫେର କରୁଛି ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି। ସେନା ଦେଶକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଇମ୍ରାନ୍‌ ଖାନ୍‌ଙ୍କୁ ନିଜର ଡମି ଭାବେ ବ୍ୟବହାର କରୁଛି। ଫଳରେ ତାଙ୍କୁ ଜିତାଇବାକୁ ସବୁ ପ୍ରକାରର କଳବଳ କୌଶଳ ଲଗାଯାଇଛି। ନିର୍ବାଚନ ଓ ଭୋଟ୍‌ ଗଣତିରେ ବ୍ୟାପକ ଅନିୟମିତତା ହୋଇଛି। ଏଭଳି ଜନାଦେଶକୁ ଗ୍ରହଣ କରାଯିବ ନାହିଁ ବୋଲି ପିଏମ୍‌ଏଲ୍‌-ଏନ୍‌ର ସଭାପତି ତଥା ନୱାଜ ଶରିଫ୍‌ଙ୍କ ଭାଇ ଶେହବାଜ ଶରିଫ୍‌ କହିଛନ୍ତି। ସେହିପରି ବିଧିବଦ୍ଧ ରେଜଲ୍ଟ ପ୍ରକାଶ ପାଇ ନଥିଲେ ହେଁ ଇମ୍ରାନ୍‌ ଖାନ୍‌ ପରୋକ୍ଷରେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଘୋଷଣା କରି ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଟିଆଇ ଦେଶର ସର୍ବବୃହତ ଦଳ ହୋଇଥିବାରୁ ଇମ୍ରାନ୍‌ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଇଛି। ସରକାର ଗଠନ ପାଇଁ କୌଣସି ଦଳ ସପକ୍ଷରେ ସ୍ପଷ୍ଟ ଜନମତ ନଥିଲେ ହେଁ ଇମ୍ରାନ୍‌ ଖାନ୍‌ଙ୍କ ସପକ୍ଷରେ ସେନାର ସମର୍ଥନ ଥିବାରୁ ସେ ହିଁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

୨୭୨ଟି ଆସନରୁ ପାକିସ୍ତାନ ଟିଭି ଚ୍ୟାନେଲ ଜିଓ ଟିଭି ଅନୁଯାୟୀ ବର୍ତ୍ତମାନ ୨୬୬ଟି ଆସନର ଫଳାଫଳ ଜଣାପଡ଼ିଛି। ତଦ୍‌ନୁଯାୟୀ, ପିଟିଆଇ ୧୧୫ଟି, ଭ୍ରଷ୍ଟାଚାର ମାମଲାରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ (ପିଏମଏଲ୍‌-ଏନ୍‌) ୬୦ଟି, ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ୩୯ଟି ଓ ଅନ୍ୟାନ୍ୟ ଦଳ ୫୨ଟି ଆସନରେ ବିଜୟ ଲାଭ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ନିର୍ବାଚନରେ କିଛି ଆତଙ୍କବାଦୀ ସଂଗଠନ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଚେଷ୍ଟା କରିଥିଲେ ହେଁ ପାକିସ୍ତାନ ନାଗରିକ ଏହାକୁ ସମର୍ଥନ କରିନାହାନ୍ତି। ଅନ୍ୟପକ୍ଷରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୩୭ ହୋଇଥିବାରୁ ପିଟିଆଇ ଏବେ ପିପିପି ସହ ହାତ ମିଳାଇ ସରକାର ଗଠନ କରିବ ବୋଲି କୁହାଯାଉଛି।

ପିଟିଆଇ ସର୍ବବୃହତ ଦଳ ହୋଇଥିବାରୁ ଇମ୍ରାନ୍‌ ପ୍ରଥମ ଦିନରୁ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ ଭାରତକୁ ଆହ୍ୱାନ ଦେଇ କହିଛନ୍ତି, ଯଦି ଭାରତ ଶାନ୍ତି ସ୍ଥାପନ ପାଇଁ ଗୋଟିଏ ପାଦେ ଆଗାଏ, ତା’ହେଲେ ପାକିସ୍ତାନ ୨ ପାଦ ଆଗେଇବ। ଭାରତ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି। କ୍ରିକେଟର୍‌ରୁ ରାଜନେତା ହୋଇଥିବା ଇମ୍ରାନ୍‌ ଆହୁରି କହିଛନ୍ତି, କ୍ରିକେଟ୍‌ ଖେଳିବାକୁ ମୁଁ ଭାରତର ବିଭିନ୍ନ ସ୍ଥାନକୁ ଯାଇଛି। ମୁଁ ଭାରତ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ। କିନ୍ତୁ ଦୁଇ ଦେଶ କଶ୍ମୀର ପ୍ରସଙ୍ଗକୁ ଆଲୋଚନା ଦ୍ୱାରା ସମାଧାନ କରିବା ଦରକାର। ଆମ ଦୁଇ ଦେଶ ମଧ୍ୟରେ କଶ୍ମୀର ହେଉଛି ପ୍ରମୁଖ ପ୍ରସଙ୍ଗ। ଭାରତ କଶ୍ମୀରକୁ ନେଇ ଆମକୁ ସମାଲୋଚନା କରୁଥିବା ବେଳେ ଆମେ ବେଲୁଚିସ୍ତାନ ପ୍ରସଙ୍ଗକୁ ନେଇ ଭାରତକୁ ଟାର୍ଗେଟ କରୁଛୁ। ଏହି ଦୋଷ ଲଦାଲଦି କାର୍ଯ୍ୟ ବନ୍ଦ ହେବା ଦରକାର। ଏବେ ଭାରତ ସହ ଆଲୋଚନା କରିବାକୁ ଆମେ ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ଇମ୍ରାନ୍‌ ସେ ନିଜର ସଫଳତା କଥା ବଖାଣି କହିଛନ୍ତି, ବିକାଶ ପାଇଁ ଦୀର୍ଘ ୨୨ ବର୍ଷ ସଂଘର୍ଷ କରିବା ପରେ ସଫଳତା ମିଳିଛି। ଆଲ୍ଲା ଏହି ସଫଳତା ଦେଇଛନ୍ତି।

ପ୍ରାଦେଶିକ ନିର୍ବାଚନ ଫଳାଫଳ

ସାଧାରଣ ନିର୍ବାଚନ ସହ ୪ଟି ପ୍ରଦେଶ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇଛି।  ପଞ୍ଜାବର ୨୯୭ଟି ଆସନରୁ ଶରିଫ୍‌ଙ୍କ ଦଳ ୧୧୪, ପିଟିଆଇ ୧୧୩, ପିପିପି ୫ ଓ ଅନ୍ୟାନ୍ୟ ଦଳ ୩୫ଟି ଆସନ ପାଇଛନ୍ତି। ବାକି ଆସନର ଫଳାଫଳ ଜଣାପଡ଼ିନାହିଁ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୫୧।  ସିନ୍ଧ ପ୍ରଦେଶର ୧୩୦ଟି ଆସନରୁ ପିପିପି ୭୪, ପିଏମ୍‌ଏଲ୍‌-ଏନ୍‌ ୨, ପିଟିଆଇ ୧୬, ଜିଡିଏ ୧୦, ଏମ୍‌କ୍ୟୁଏମ୍‌-ପି ୭ ଓ ଅନ୍ୟାନ୍ୟ ଦଳ ୬ଟି ଆସନ ପାଇଛନ୍ତି। ବାକି ୧୬ଟି ଆସନର ଫଳାଫଳ ଜଣାପଡ଼ିନାହିଁ। ଏଠାରେ ମ୍ୟାଜିକ୍‌ ନମ୍ବର ହେଉଛି ୬୧। ଖାଇବର ପାକତୁନଖ୍ୱାର ୯୯ଟି ଆସନରୁ ପିଟିଆଇ ୬୪, ପିଏମ୍‌ଏଲ୍‌-ଏନ୍‌ ୨, ଏମଏମଏ ୯, ଏଏନ୍‌ପି ୬, ପିପିପି ୩ ଓ ସ୍ୱଧୀନ ପ୍ରାର୍ଥୀ ୫ଟି ଆସନରେ ଜିତିଛନ୍ତି।  ବାକି ଆସନର ଫଳାଫଳ ଜଣାପଡ଼ିନାହିଁ।  ଏଠାରେ ମ୍ୟାଜିକ୍‌ ନମ୍ୱର ହେଉଛି ୫୧।  ବଲୁଚିସ୍ତାନର ମୋଟ ଆସନ ସଂଖ୍ୟା ୫୧। ଏଠାରେ ୪୩ଟି ଆସନର ଫଳାଫଳ ଜଣାପଡ଼ିଛି। ଏଥିମଧ୍ୟରୁ ବିଏପି ୧୨, ଏମଏମଏ ୮, ବିଏନ୍‌ପି ୬, ସ୍ୱଧୀନ ୫, ଏଏନ୍‌ପି ୩, ପିଟିଆଇ ୪, ଏଚ୍‌ଡିପି ୨, ପିଏମଏଲ୍‌-ଏନ୍‌ ୧, ବିଏନ୍‌ପିଏ ୧ ଓ ପିକେଏମ୍‌ଏପି ୧ ଆସନରେ ଜିତିଛି।