ପାକିସ୍ତାନ ଉପରେ ଆମେରିକାର ବୋମା ମାଡ଼: ମଲେ ୩ ଆତଙ୍କବାଦୀ

ଲାହୋର: ଆତଙ୍କବାଦ ବିରୋଧ ଲଢେଇରେ ପାକିସ୍ତାନ ଦୋମୁହାଁ ନୀତି ଆପଣାଉଥିବାରୁ ଆମେରିକା ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛି। ଏହାସତ୍ତ୍ୱେ ପାକିସ୍ତାନ ସୁଧୁରିବାର ନା ନେଉନାହିଁ ଓ ନିଜ ମାଟିରେ ପୂର୍ବ ପରି ଆତଙ୍କବାଦୀ ସଂଗଠନଙ୍କ ତ୍ରାଣକର୍ତ୍ତା ସାଜିଛି। ଏପରି ସ୍ଥିତିରେ ଆମେରିକା ନିଜେ ଏହି ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବାକୁ ଅଣ୍ଟା ଭିଡିଛି। ମିଳିଥିବା ଖବର ଅନୁସାରେ ଆମେରିକା, ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ପରେ ବୋମାମାଡ଼ ଆରମ୍ଭ କରିଦେଇଛି। ଆଜି ଆମେରିକାର ଡ୍ରୋନ୍ସ ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟୱର୍କ ଉପରେ ବୋମାମାଡ଼ କରିଛି। ଏହି ଆକ୍ରମଣରେ ହକ୍କାନୀ ନେଟ୍‌ୱର୍କର ୩ ଜଣ କମାଣ୍ଡର ମୃତ୍ୟୁବରଣ କରିଛନ୍ତି।

ଆମେକରିକା ଲଗାତାର ପାକିସ୍ତାନରେ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରକୁ ବୋମା ମାଡ଼ କରୁଛି। ରିପୋର୍ଟ ଅନୁସାରେ ଡ୍ରୋନ୍ସରୁ ଦୁଇଟି ମିସାଇଲ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରକୁ ମାଡ଼ କରାଯାଇଥିଲା। ଏଥିରେ ହକ୍କାନୀ ନେଟ୍‌ୱର୍କର କମାଣ୍ଡର ଅହସନ ଓକା ଖୋରେର ମୃତ୍ୟୁ ଘଟିଛି।

ଏହି ଡ୍ରୋନ୍ସ ଆକ୍ରମଣ ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ ଶାନକିଲାରେ କରାଯାଇଛି। ଏହା ପୂର୍ବରୁ ୧୭ ଜାନୁଆରୀରେ ଆମେରିକା କରିଥିବା ଆକ୍ରମଣରେ ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।