ଆୟକର ଜାଲରେ କମଲ ନାଥଙ୍କ ଭଣଜା, ବାଜ୍ୟାପ୍ତ ହେଲା ୨୫୪ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ଆୟକର ବିଭାଗର ଦିଲ୍ଲୀ ୟୁନିଟ୍‌ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଆୟକର ବିଭାଗ ତାଙ୍କ ନାମରେ ଥିବା କିଛି ଇକ୍ୱିଟି ଶେୟାର ଏବଂ ଅନ୍ୟାନ୍ୟ ଶେୟାର ମଧ୍ୟ ନିଜ ଦଖଲକୁ ନେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ଅର୍ଥ ଏଫ୍‌ଡିଆଇ ଯୋଗେ ରାଜୀବ ସାକ୍ସେନା ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଆସିଛି। ରାଜୀବ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ।

ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ମାମଲାରେ ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀର୍ଘ ଦିନ ଧରି ତଦନ୍ତ ଜାରି ରଖିଛନ୍ତି। ଭିଭିଆଇପି ହେଲିକପ୍ଟର ଦୁର୍ନୀତିରେ ହୋଇଥିବା ଲାଞ୍ଚ କାରବାର ଅର୍ଥକୁ ରତୁଲ ହାତେଇଥିବା ଅଭିଯୋଗ ହେବାପରେ ତଦନ୍ତରେ ତାଙ୍କ ନାମ ଯୋଡ଼ି ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରାଜୀବ ସାକ୍ସେନାଙ୍କ କମ୍ପାନୀ ଅପ୍ଟିମା ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ସେ ଏହି ୨୫୪ କୋଟି ଟଙ୍କା ନେଇଥିଲେ ବୋଲି ଅଭିଯୋଗ ରହିଛି। ଏପ୍ରିଲ ୭ ତାରିଖରେ ହୋଇଥିବା ଆୟକର ଚଢ଼ଉ ବେଳେ ଇନ୍‌ଭଏସ୍‌ରେ କିଛି ସନ୍ଦେହଜନକ କାରବାର ହୋଇଥିବା ଜଣାପଡ଼ିଥିଲା। ଏହା ଏକ କମ୍ପାନୀର ଉତ୍ପାଦକୁ ଚଢ଼ା ଦରରେ ଇନ୍‌ଭଏସ୍‌ କରି ଆମଦାନୀ କରିଥିଲା ଏବଂ ଏକ ନକଲି କମ୍ପାନୀ ନାମରେ ପୁଣି ଇନ୍‌ଭଏସ୍‌ କରାଇଥିଲା ବୋଲି ଜଣାପଡ଼ିଛି।