ଔରଙ୍ଗଜେବଙ୍କ ଶେଷକୃତ୍ୟ ସମ୍ପନ୍ନ, ଅଶାନ୍ତ ହେଉଛି କାଶ୍ମୀର

ନୂଆଦିଲ୍ଲୀ: ଅଶାନ୍ତ କାଶ୍ମୀର ଅସ୍ତ୍ରବିରତି ଉଲ୍ଲଂଘନ ସହ ପାକିସ୍ତାନର ଗୁଳିମାଡ଼ରେ ସହିଦ୍ ହୋଇଛନ୍ତି ଆଉ ଜଣେ ଯବାନ। ତେଣେ ପବିତ୍ର ଇଦ୍‌ରେ ଶ୍ରୀନଗର ଓ ଅନନ୍ତନାଗରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ । ଏହାରି ଭିତରେ ସାମ୍ନାକୁ ଆସିଛି ସହିଦ ଯବାନ ଔରଙ୍ଗଜେବ୍‌ଙ୍କ ମୃତ୍ୟୁ ପୂର୍ବର ଭିଡିଓ।  ଏହା ସତ କି ମିଛ ସେନା ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ପୁଅ ହତ୍ୟାର ବଦ୍‌ଲେ ନିଆଯାଉ ବୋଲି ଦାବି କରିଛନ୍ତି ଔରଙ୍ଗଜେବଙ୍କ ବାପା।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଜମ୍ମୁ-କଶ୍ମୀରରେ ସହିଦ ହୋଇଥିବା ଯବାନ  ଔରଙ୍ଗଜେବ ରହିଛନ୍ତି ବୋଲି ଅନୁମାନ କରାଯାଉଛି । ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିଲେ । ପ୍ରାୟ ୧ ମିନିଟ ୧୫ ସେକେଣ୍ଡର ଏହି ଭିଡିଓରେ ବ୍ୟକ୍ତିଗତ ଜୀବନ ସହିତ କେଉଁ  କେଉଁ ଏନ୍‌କାଉଣ୍ଟରରେ ଔରଙ୍ଗଜେବ ସାମିଲ ଥିଲେ, ସେ ସମ୍ପର୍କରେ ପଚାରିଥିଲେ ଆତଙ୍କବାଦୀ । ଏପରିକି  ହିଜବୁଲ କମାଣ୍ଡର ସମୀର ଟାଇଗର୍ ଏନ୍‌କାଉଣ୍ଟରକୁ ଲିଡ୍ କରୁଥିବା ମେଜର ରୋହିତ ଶୁକ୍ଲାଙ୍କ ସୁରକ୍ଷା ଦାୟିତ୍ୱରେ ଔରଙ୍ଗଜେବ୍ ଥିଲେ,  ସେ ଖବର ବି ଆତଙ୍କୀଙ୍କ ପାଖରେ ଥିଲା । ଗତ ୧୪ ତାରିଖରେ ସେ ଇଦ୍ ପାଇଁ ଘରକୁ ଫେରୁଥିବା ବେଳେ ବାଟରୁ ତାଙ୍କୁ ଆତଙ୍କବାଦୀ ଅପହରଣ କରି ହତ୍ୟା କରିଥିଲେ।

ଆଜି ନିଜ ଜନ୍ମମାଟିରେ ସଂପନ୍ନ ହୋଇଛି ଔରଙ୍ଗଜେବଙ୍କ ଶେଷକୃତ୍ୟ  ସେନା ଜଓ୍ୱାନଙ୍କ ସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଏହି ବୀର ଯବାନଙ୍କୁ ଦେଇଛନ୍ତି ଶେଷ ଶ୍ରଦ୍ଧାଞ୍ଜଳି । ଔରଙ୍ଗଜେବ୍‌ଙ୍କ ବାପା ଦାବି କରିଛନ୍ତି ପୁଅର ହତ୍ୟାର ତୁରନ୍ତ ବଦ୍‌ଲା ନିଆଯାଉ ବୋଲି।

ସେପଟେ ନୌସେରା ସେରରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ରେ ବିକାଶ ଗୁରୁଙ୍ଗ ନାମକ ଜଣେ ଯବାନ ସହିଦ ହୋଇଛନ୍ତି । ଏଣେ ମେ ୧୬ରୁ ଘୋଷଣା ହୋଇଥିବା ଅସ୍ତ୍ରବିରତି ଅବଧି ଆଉ ବଢାଯିବ କି ନାହିଁ ସେ ନେଇ ଆସନ୍ତକାଲି ନିଷ୍ପତ୍ତି ନିଆଯିବ । ରମଜାନ ମାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସକ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବାରମ୍ବାର ଆକ୍ରମଣ ହୋଇଥିଲା । ଦୁଇ ଦିନ ତଳେ ରାଇଜିଂ କାଶ୍ମୀରର ସମ୍ପାଦକଙ୍କୁ ଅତି ନୃଶଂସ ଭାବେ ଆତଙ୍କବାଦୀମାନ ହତ୍ୟା କରିଥିଲେ।

ଏଣେ ପବିତ୍ର ଇଦ୍ରେ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି ବିକ୍ଷୋଭ ପ୍ରଦର୍ଶନ ବେଳେ କେତେକ ବିକ୍ଷୋଭକାରୀ ପାକିସ୍ତାନ ଓ ଆଇଏସ୍ ପତାକା ପ୍ରଦର୍ଶନ କରିବା ସହିତ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ଫିଙ୍ଗିଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ  । ଅନନ୍ତନାଗରେ ମଧ୍ୟ ଉତ୍ୟକ୍ତ ଜନତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More