କୁଳଭୂଷଣ ଯାଦବଙ୍କୁ ଛାଡ଼ିବାକୁ ପାକିସ୍ତାନକୁ ପରାମର୍ଶ

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ଅଦାଲତ ( ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ICJ ) ଭାରତୀୟ ନାଗରିକ ତଥା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନର ମିଲିଟାରୀ କୋର୍ଟ ଦେଇଥିବା ଫାଶୀଦଣ୍ଡ ଉପରେ ରୋକ ଲଗାଇଛନ୍ତି।

ଗତକାଲି ଭାରତର ଏହି କୂଟନୀତିକ ବିଜୟ ପରେ ପାକିସ୍ତାନ ନିଜର ଦୋଷ ଲୁଚାଇବା ଆରମ୍ଭ କରିଛି। ତେବେ ଆଜି ଭାରତ ସରକାର କୁଳଭୂଷଣଙ୍କୁ ତୁରନ୍ତ ଛାଡ଼ିବାକୁ ପାକିସ୍ତାନକୁ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କୁଳଭୂଷଣ ମାମଲାରେ ଆଇସିଜେ ଦେଇଥିବା ରାୟ ସମ୍ପର୍କରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅବଗତ କରାଇଥିଲେ।

ଏହି ସମୟରେ ସେ କହିଥିଲେ, “ଯାଦବଙ୍କ ମାମଲାରେ ପାକିସ୍ତାନର ମିଛ ପର୍ଦ୍ଦାଫାସ ହୋଇଛି। ପାକିସ୍ତାନ ଯାଦବଙ୍କୁ ଦେଖା କରିବା କିମ୍ବା ତାଙ୍କୁ ଆଇନଗତ ସହାୟତା ଯୋଗାଇ ଦେଇ ନଥିଲା। ଏବେ ଆଇସିଜେରେ ଏହା ପ୍ରମାଣିତ ହୋଇଛି। କୁଳଭୂଷଣଙ୍କ ‍ବିରୋଧରେ ପାକିସ୍ତାନ ଲଗାଇଥିବା ସମସ୍ତ ଚାର୍ଜ ମିଛ।

କୌଣସି ଆଇନଗତ ସହାୟତା ବିନା ଯାଦବଙ୍କୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଛି। ଏବେ ପାକିସ୍ତାନ ଏହି ମିଛକୁ ସ୍ୱୀକାର କରିବା ସହ କୁଳଭୂଷଣଙ୍କୁ ତୁରନ୍ତ ଛାଡ଼ିବା ଦରକାର। ଭାରତ ସରକାର କୁଳଭୂଷଣଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସବୁ ପ୍ରକାରର ବ୍ୟବସ୍ଥା କରୁଛନ୍ତି। ପାକିସ୍ତାନ ନିରୀହ ଭାରତୀୟଙ୍କୁ କେବେ ହେଲେ ଦଣ୍ଡ ଦେଇପାରିବ ନାହିଁ।”

ଗତକାଲି ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡ ଉପରେ ରୋକ ଲଗାଇବା ସହ ଭାରତକୁ କନସୁଲାର ଆକ୍ସେସ ଭାରତକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।