୮୦ କୋଟି ବର୍ଷ ପୂର୍ବରୁ ନିର୍ମାଣ ହୋଇସାରିଥିଲା ଭାରତ: ଜାଣନ୍ତୁ ଚୀନ୍‌ର ସ୍ଥିତି କ’ଣ ଥିଲା ?

ଜୟପୁର: ଭୌଗଳିକ ଦୃଷ୍ଟିରୁ ୩ଟି ଭୂ-ଭାଗ ଯୋଡ଼ି ହୋଇ ଚୀନ୍‌ ଗଠନ ହୋଇଛି। ତେବେ ବର୍ତ୍ତମାନା ସ୍ଥିତିରେ ଥିବା ଚୀନ୍‌ର ଦକ୍ଷିଣ ଭାଗ ଅନ୍ୟ ଦୁଇଟି ଭୂ-ଭାଗ ସହ ଏକାଠି ନଥିଲା। ଏହା ହେଉଛି ପ୍ରାୟ ୮୦ କୋଟି ବର୍ଷ ପୂର୍ବର କଥା। ସେତେବେଳେ ଚୀନ୍‌ର ଏହି ଦକ୍ଷିଣ ଭାଗ ରାଜସ୍ଥାନର ଉତ୍ତରାଞ୍ଚଳ ପାଖରେ ଥିଲା। ପରେ ଏହି ଭୂ-ଭାଗ ୩ ହଜାର କିମି ଦୂରକୁ ଯାଇ ଚୀନ୍‌ର ଅଂଶ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଚୀନ୍‌ ନିର୍ମାଣ ହେଉଥିଲା, ସେ ସମୟରେ ବର୍ତ୍ତମାନର ଭାରତ ନିର୍ମାଣ ହୋଇସାରିଥିଲା। ଏହି ସମୟରେ ହିମାଳୟ ନଥିଲା। ବର୍ତ୍ତମାନ ଆମେ ଦେଖୁଥିବା ହିମାଳୟ ସ୍ଥାନରେ ସମୁଦ୍ର ଥିଲା। ଏହା କୌଣସି ମନଗଢ଼ା କଥା ନୁହେଁ। ଭାରତ ଓ ଚୀନ୍‌ର ୩ଜଣ ଜିଓଲୋଜିଷ୍ଟ ରିସର୍ଚ୍ଚ ପରେ ଏପରି ମତବ୍ୟକ୍ତ କରିଛନ୍ତି।

ରାଜସ୍ଥାନ ୟୁନିଭର୍ସିଟିର ପ୍ରଫେସର ଏମ୍‌କେ ପଣ୍ଡିତ, ଚାନା ୟୁନିଭର୍ସିଟି ଅଫ ଜିୟୋ ସାଇନ୍ସ, ୱହାନର ପ୍ରଫେସର ୱେଇ ୱାଙ୍ଗ ଏବଂ ପ୍ରଫେସର ଜୁଙ୍ଗ ହାଙ୍ଗ ଏହି ସର୍ଭ କରିଛନ୍ତି। ଏହାକୁ ଜିଓଲୋଜିଷ୍ଟର ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ‘ଏଲେସ୍‌ୱିୟର’ ମୋହର  ଲଗାଇବା ପରେ ‘ଜିଓ ଫିଜିକାଲ ରିସର୍ଚ୍ଚ ଲେଟର୍ସ’ ଜର୍ଣ୍ଣାଲରେ ସ୍ଥାନ ମିଳିଛି।

ଏହି ତିନି ବୈଜ୍ଞାନିକ ପ୍ରାୟ ୪ ବର୍ଷ ଧରି ଜୋଧପୁର, ବାଡମାର, ଜାଲୋର, ପାଲି, ସିରୋହିରେ ଥିବା ଚଟାଣ ସହ ଦକ୍ଷିଣ ଚାଇନାର ୟାଙ୍ଗସ୍ତେ ନଦୀ ପାଖାପାଖି ଅଞ୍ଚଳରେ ରିସର୍ଚ୍ଚ କରିଥିଲେ। ଏହି ରିସର୍ଚ୍ଚରୁ ଜଣାପଡିଛି, ପଶ୍ଚିମ ରାଜସ୍ଥାନରେ ୭୫ରୁ ୧୦୦ କୋଟି ବର୍ଷ ପୂର୍ବର ଆଗ୍ନେୟ ଚଟାଣ ଏବେ ରହିଛି।

୧. ରିସର୍ଚ୍ଚରୁ ଜଣାପଡ଼ିଛି, ପ୍ରାୟ ୮୦ କୋଟି ବର୍ଷ ପୂର୍ବେ ଭାରତୀୟ ଭୂ-ଭାଗ ବର୍ତ୍ତମାନର ସ୍ୱରୂପକୁ ଆସି ସାରିଥିଲା। ସେତେବେଳେ ଚୀନ ନିର୍ମାଣ ପ୍ରକ୍ରିୟା ଜାରି ରହିଥିଲା। ଏହାର ତିନି ଭାଗ ଅଲଗା ଅଲଗା ଥିଲା। ଧୀରେ ଧୀରେ ଏହି ତିନି ଭାଗ ନିକଟତର ହେବା ସହ ଯୋଡ଼ି ହେବା ପରେ ବର୍ତ୍ତମାନର ଚୀନ୍‌ ସ୍ୱରୂପ ପାଇଥିଲା।

୨. ବର୍ତ୍ତମାନର ଦକ୍ଷିଣ ଚୀନ ଭାରତର ପୂର୍ବରେ ରହିଛି। ଯାହା ସେ ସମୟରେ ଉତ୍ତର-ପଶ୍ଚିମରେ ଥିଲା। ଏହା ସେ ସମୟର କଥା ଯେତେବେଳେ ହିମାଳୟ ମଧ୍ୟ ନଥିଲା। ହିମାଳୟ ସ୍ଥାନରେ ସମୁଦ୍ର ଥିଲା।

ପ୍ରଫେସର ପଣ୍ଡିତ କୁହନ୍ତି, ‘ପୂର୍ବରୁ ଭୁ-ବିଜ୍ଞାନୀମାନେ ୫୦ କୋଟି ବର୍ଷର ଭୌଗଳିକ ସ୍ଥିତ ବିଷୟରେ ଜାଣିପାରୁ ଥିଲେ। ଏବେ ନୂଆ ନୂଆ ରିସର୍ଚ୍ଚ ଉପକରଣ ଆସିଲାଣି। ଏହାଦ୍ୱାରା ୧୦୦ କୋଟି ବର୍ଷରୁ ଅଧିକ ସମୟ ବିଷୟରେ ଜାଣି ହେଉଛି। ବର୍ତ୍ତମାନର ଭାରତୀୟ ଭୂ-ଭାଗ, ୭୫ କୋଟି ବର୍ଷ ପୂର୍ବରୁ ଆଣ୍ଟାର୍କଟିକାର ଅଂଶ ଥିବା ଅବଧାରଣା ଥିଲା। ଯାହାକୁ କିଛି ବର୍ଷ ପୂର୍ବେ ଆମେ ଖଣ୍ଡନ କରିଥିଲୁ। ୪ ବର୍ଷର ରିସର୍ଚ୍ଚ ପରେ ଭାରତ ଓ ଚୀନ୍‌ର ଭୌଗଳିକ ସ୍ଥିତି ବିଷୟରେ ସଠିକ୍‌ ତଥ୍ୟ ମିଳିପାରିଛି।”

ସେହିପରି ପ୍ରଫେସର ୱାଙ୍ଗ ଏବଂ ପ୍ରଫେସର ହାଙ୍ଗ କୁହନ୍ତି, “ଆମର ଯୁଗ୍ମ ରିସର୍ଚ୍ଚର ରିପୋର୍ଟ ଚମକାଇବା ଭଳି, ଏହା ପୂର୍ବରୁ ଚଳି ଆସୁଥିବା ଅବଧାରଣାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରତିଷ୍ଠିତ ଜର୍ଣ୍ଣାଲରେ ଜାଗା ମିଳିଥିବାରୁ ଆମେ ଖୁସି ଅଛୁ।