ପାକ୍‌ ଠାରୁ ପ୍ରତିଶୋଧ ନେଲା ଭାରତ: ସୀମାରେ ଉଡ଼ିଲା ବଙ୍କର୍‌

ନୂଆଦିଲ୍ଲୀ: ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତୀୟ ସେନା  ଶେଷରେ  ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଗର୍ଜିଛି ଟିଗର।  ଧ୍ୱଂସବିଧ୍ୱସ୍ଥ ହୋଇଛି ପାକ୍‌ ବଙ୍କର। ଭାରତୀୟ ଯବାନଙ୍କ ମୋର୍ଟାର ମାଡ଼ରେ ମାତ୍ର ୬୦ ସେକେଣ୍ଡରେ  ଏଲଓସିରେ ଥିବା ପାକିସ୍ତାନ ବଙ୍କର ଛାରଖାର ହୋଇଯାଇଛି। ଭୟଙ୍କର ବିସ୍ଫୋରଣରେ ବଙ୍କର ଧୂଳିସାତ ହେଉଥିବାର ଦୃଶ୍ୟର ଭିଡିଓ ଫୁଟେଜ୍‌ ଭାଇରାଲ ହୋଇଛି।

ଯେଉଁ ଏଲଓସିର କ୍ରୀଷ୍ଣାଘାଟି ସେକ୍ଟରରେ  ପାକ୍‌ସେନା ଦୁଇ ଭାରତୀୟ ଯବାନଙ୍କୁ ଗୁଳି କରି ଅତି ନିର୍ମମଭାବେ ହତ୍ୟା କରିଥିଲା ଆଜି ସେହି ସ୍ଥାନରେ ଜବରଦସ୍ତ କାଉଣ୍ଟର ଆଟାକ୍‌  କରିଛି ଭାରତ। ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଅସ୍ଥିରତା ଜାରି ରଖିଥିଲା। ମେ ୧ରେ ଦୁଇ ଭାରତୀୟ ଯବାନଙ୍କ ଗୁଳି କରି ହତ୍ୟା କରିବା ସହ ପରେ ଲୁଟ୍‌ପାଟ୍‌ ଜାରି ରଖିଥିଲା। ଏ ସମସ୍ତ ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଯବାନଙ୍କ ହତ୍ୟା ଅଭିଯୋଗକୁ  ପାକିସ୍ତାନ ଖଣ୍ଡନ କରିବା ସହ ଓଲଟି ପ୍ରମାଣ ମାଗିଥିଲା। ଏନେଇ ଦୁଇଦେଶ ମୁହାମୁହିଁ ହୋଇଥିବା ବେଳେ ପାକିସ୍ତାନକୁ ଜବାବ ଦେବାକୁ ପ୍ରତିରକ୍ଷା ମନ୍ତ୍ରୀ  ଅରୁଣ ଜେଟଲୀ ଭାରତୀୟ ସେନାଙ୍କୁ ଫ୍ରି ହ୍ୟାଣ୍ଡ ପାଇଁ ଅନୁମିତି ଦେଇଥିଲେ।