ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଭୂକଂପ: ମଣିପୁରରେ ୭ ମୃତ, ୧୦୦ ଆହତ

ନୂଆଦିଲ୍ଲୀ: ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ସୋମବାର ଭୋର ପ୍ରାୟ ୪ଟା ୩୫ ମିନିଟରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।  ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ତ, ଆସାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଏହି ଭୂକଂପ ଅନୁଭୂତ ହୋଇଥିଲା। ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ରହିଥିଲା। ଏହାର କେନ୍ଦ୍ରସ୍ଥଳ ଥିଲା ମଣିପୁରର ରାଜଧାନୀ ଇମ୍ଫାଲ ନିକଟସ୍ଥ ତାମେଙ୍ଗଲୋଙ୍ଗ। ମଣିପୁରରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ତାମେଙ୍ଗଲୋଙ୍ଗ ଓ ଇମ୍ଫାଲରେ ଅନେକ କୋଠାବାଡ଼ି ଭାଙ୍ଗି ଯାଇଛି। ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଆସାମର ଗୌହାଟୀରୁ ଇମ୍ଫାଲକୁ ଏନଡିଆରଏଫର ଦୁଇଟି ଟିମକୁ ପଠାଯାଇଛି।

ଆସାମର ଗୌହାଟୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଭୂକଂପ ଯୋଗୁଁ ଘର ଭାଙ୍ଗି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୩୦ରୁ ଅଧିକ ଘର ଭାଙ୍ଗିଛି ବୋଲି ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂକଂପ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଭୂକଂପ ବେଳେ ରାଜନାଥ ସିଂହ ଆସାମରେ ଥିଲେ। ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟ ଭୂକଂପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି।

ଭୋରରେ ବଡ଼ ଧରଣର ଭୂକଂପ ପରେ ସକାଳେ ପୁଣି ଥରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ୩.୬ ତୀବ୍ରତା ବିଶିଷ୍ଟ ଏକ ଭୂକଂପ ଅନୁଭୂତ ହୋଇଥିଲା।

ଭୂକମ୍ପରେ ବାଂଲାଦେଶରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।