ଗଣତନ୍ତ୍ର ସୂଚକାଙ୍କରେ ୫୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ: ଗଣତନ୍ତ୍ର ସୂଚକାଙ୍କର ବିଶ୍ୱସ୍ତରୀୟ ତାଲିକାରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୫୧ତମ ସ୍ଥାନରେ ପହଞ୍ଚିଛି। ଦି ଇକୋନୋମିଷ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍‌ ଏହି ସୂଚନା ଦେଇଛି। ଏହି ତାଲିକା ଘୋଷଣା କରାଯିବା ଅବସରରେ କୁହାଯାଇଛି, ସାଧାରଣ ନାଗରିକଙ୍କ ସ୍ୱାଧୀନତାରେ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ସୂଚକାଙ୍କରେ ପଡ଼ିଛି।

୨୦୧୮ ମସିହାରେ ଭାରତର ମୋଟ ସ୍କୋର ୭.୨୩ ଥିଲା। ଏହା ବର୍ତ୍ତମାନ ୬.୯୦କୁ ଖସିଆସିଛି। ଏହି ସ୍କୋର ବିଶ୍ୱର ୧୬୫ ସ୍ୱାଧୀନ ରାଷ୍ଟ୍ର ଏବଂ ୨ଟି ଟେରିଟୋରିରେ ଗଣତନ୍ତ୍ରର ସ୍ଥିତି ବୟାନ କରିଥାଏ।

ବର୍ଷଗଣତନ୍ତ୍ର ସୂଚକାଙ୍କ
୨୦୦୬୭.୬୮
୨୦୦୮୭.୮
୨୦୧୦୭.୨୮
୨୦୧୧୭.୩
୨୦୧୨୭.୫୨
୨୦୧୩୭.୬୯
୨୦୧୪୭.୯୨
୨୦୧୫୭.୭୪
୨୦୧୬୭.୮୧
୨୦୧୭୭.୨୩
୨୦୧୮୭.୨୩
୨୦୧୯୬.୯

ଭାରତ ବାବଦରେ ଏହି ରିପୋର୍ଟରେ କୁହାଯାଇଛି, ଏହି ଦେଶ ଗଣତାନ୍ତ୍ରିକ ସୂଚକାଙ୍କର ଗ୍ଲୋବାଲ ରାଙ୍କିଙ୍ଗରେ ୫୧ତମ ସ୍ଥାନକୁ ଖସିଆସିଛି। ଏଥିପାଇଁ ୫ଟି କ୍ୟାଟାଗୋରୀକୁ ବିଚାରକୁ ନିଆଯାଇଥିଲା। ସେସବୁ ଥିଲା ନିର୍ବାଚନ ପ୍ରକ୍ରିୟା ଓ ବହୁମତ, ସରକାରର କାର୍ଯ୍ୟଶୈଳୀ, ରାଜନୀତିକ ଯୋଗଦାନ, ରାଜନୀତିକ ସଂସ୍କୃତି ଏବଂ ନାଗରିକ ସ୍ୱାଧୀନତା।

ଦେଶମାନଙ୍କ ସ୍କୋର ଅନୁଯାୟୀ ୪ ପ୍ରକାରରେ ସେମାନଙ୍କୁ ବିଭକ୍ତ କରାଯାଇଥିଲା। ଗୋଟିଏ ଥିଲା ‘ପୂର୍ଣ୍ଣ ଗଣତନ୍ତ୍ର’, ଯାହାପାଇଁ ସ୍କୋର ୮ରୁ ଊର୍ଦ୍ଧ୍ୱ ରହିଥିଲା। ୬ରୁ ଊର୍ଦ୍ଧ୍ୱ ଏବଂ ୮ ବା ୮ରୁ କମ୍‌ ସ୍କୋର ଥିବା ଦେଶଙ୍କୁ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ କୁହାଯାଉଛି। ସେହିଭଳି ୪ରୁ ଊଦ୍ଧ୍ୱ ଓ ୬ ବା ୬ରୁ କମ୍‌ ସ୍କୋର ଥିବା ଦେଶଙ୍କୁ ହାଇବ୍ରିଡ୍‌ ଦେଶ ଏବଂ ୪ ବା ୪ରୁ କମ୍‌ ସ୍କୋର ଥିବା ରାଷ୍ଟ୍ରଙ୍କୁ ଏକଚ୍ଛତ୍ରବାଦ ଦେଶ କୁହାଯାଉଛି। ଭାରତ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ପ୍ରକାର ବୋଲି ଏହି ରିପୋର୍ଟ କହିଛି।

ଚାଇନା ଏହି ତାଲିକାରେ ୨.୨୬କୁ ଖସିଆସିଛି। ଏହି ଦେଶ ଏବେ ୧୫୩ତମ ସ୍ଥାନରେ ଅଛି। ଏହା ତଳ ଆଡ଼ୁ କିଛି ଦେଶଙ୍କ ସହ ପ୍ରତିଯୋଗିତାରେ ଅଛି। ରିପୋର୍ଟରେ କୁହାଯାଇଛି, “ଗତବର୍ଷରେ ସଂଖ୍ୟାଲଘୁଙ୍କ ସହ ଭେଦଭାବ ବିଶେଷ କରି ସିନ୍‌ଜିଆଙ୍ଗ ପ୍ରଦେଶରେ ବୃଦ୍ଧି ପାଇଛି। ଏମାନଙ୍କ ଉପରେ ଡିଜିଟାଲ ସର୍ଭେଲାନ୍ସ ରଖାଯିବା ବା ନିଘା ରଖାଯିବା ସଂଖ୍ୟାଲଘୁଙ୍କ ବ୍ୟକ୍ତିଗତ ସ୍ୱାଧୀନତା ହ୍ରାସ କରାଇଛି।”

ବିକାଶଶୀଳ ଦେଶଙ୍କ ମଧ୍ୟରେ ବ୍ରାଜିଲ ୫୨ତମ ସ୍ଥାନରେ ଏବଂ ରୁଷ୍‌ ୧୩୪ତମ ସ୍ଥାନରେ ରହିଛି। ସେହିଭଳି ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ପାକିସ୍ତାନ ୧୦୮ତମ ସ୍ଥାନରେ, ଶ୍ରୀଲଙ୍କା ୬୯ତମ ସ୍ଥାନରେ ଏବଂ ବାଂଲାଦେଶ ୮୦ତମ ସ୍ଥାନରେ ରହିଛି।