ମାଟିକୁ ଫେରିଲା ମାଆର ଝିଅ, ପାକିସ୍ତାନକୁ କହିଲା ମୃତ୍ୟୁର କୂଅ: ପଢନ୍ତୁ ଉଜମାଙ୍କ ବନ୍ଦୀ କାହାଣୀ

ନୂଆଦିଲ୍ଲୀ: ପାକିସ୍ତାନର ସଇତାନଙ୍କ ଠାରୁ ଜୀବନ ବଞ୍ଚାଇ ଆଜି ଭାରତ ଫେରିଛନ୍ତି  ଉଜମା ଅହମ୍ମଦ। ମାତୃଭୂମିକୁ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ପାଛୋଟି ନେଇଛନ୍ତି। ୱାଘା ବର୍ଡରରେ ପହଞ୍ଚି ପ୍ରଥମେ ଭାରତମାଟିକୁ ମୁଣ୍ଡରେ ଲଗାଇଥିଲେ ଉଜମା। ଉଜମାଙ୍କ ଏହି ଫଟୋ ସାରା ଦେଶରେ ଭାଇରାଲ୍ ହୋଇଛି। ସୀମାରେ ଦୁଇ ଭାରତୀୟ ଅଫିସର ଉଜମାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ। ଏହାପରେ ସେ ଦିଲ୍ଲୀ ଆସି ନିଜ ପରିବାର ଲୋକଙ୍କୁ ଭେଟିଥିଲେ। ଏପଟେ ଉଜମାଙ୍କୁ ସ୍ୱାଗତ କରିବାକୁ ଚାହିଁ ବସିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଉଜମାଙ୍କୁ ସୁରକ୍ଷିତ ଅବସ୍ଥାରେ ଦେଖିବା ପରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା।

ଉଜମା କହିଛନ୍ତି ସୁଷମାଙ୍କ ପାଇଁ ମୋ ଫେରିବା ସମ୍ଭବ ହୋଇଛି। ସେ ପ୍ରତିଦିନ ମୋ ପାଖକୁ ଫୋନ୍ କରୁଥିଲେ। କହୁଥିଲେ ତୁମେ ଆମ ଦେଶର ଝିଅ  ତୁମକୁ ଫେରାଇ ଆଣିବାକୁ ଆମେ ସମସ୍ତ ଚେଷ୍ଟା କରୁଛୁ।ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଏମିତି ଏକ ଦେଶ ଯେଉଁଠିକୁ ଯିବା ସହଜ, ହେଲେ ଫେରିବା କଷ୍ଟ। ପାକିସ୍ତାନ ଏକ ଦେଶ ନୁହେଁ ମୃତ୍ୟୁର କୂଅ। କେବଳ ମୁଁ ନୁହେଁ, ସେଠି ଏମିତି ଅନେକ ଭାରତୀୟ ଝିଅଙ୍କୁ  ଜୋରଜବଦସ୍ତି ବିବାହ କରାଇ ଦିଆଯାଇଛି।

କିଏ ଏହି ଉଜମା, କେମିତି ବନ୍ଦୀ ପାଲଟିଥିଲେ ପାକିସ୍ତାନରେ , 20 ବର୍ଷିୟା ଉଜମା ପାକାସ୍ତାନକୁ ତାଙ୍କ ଜଣେ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଏହି ରହଣି ସମୟରେ ସେଠାରେ ତାଙ୍କୁ ତାହିର ଅଲ୍ଲୀ ନାମକ ଜଣେ ଡାକ୍ତରଙ୍କ ସହ ବଳପୂର୍ବକ ବିବାହ କରାଯାଇଥିଲା।  ଆଉ ବିବାହ ପରେ ତାଙ୍କୁ କରାଯାଇଥିଲା ମାନସିକ, ଶାରୀରିକ ଓ ଯୌନ ଅତ୍ୟାଚାର।

ଏସବୁରୁ ମୁକ୍ତି ପାଇବା ପାଇଁ ଉଜମା ଭାରତୀୟ ହାଇ କମିଶମନଙ୍କ ଶରଣ ପଶିଥିଲେ।  କହିଥିଲେ, କେମିତି ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଜଣେ ଡାକ୍ତରଙ୍କ ସହ ବିବାହ ପାଇଁ ଧମକାଇଥିଲେ। ଏହାପରେ ଉଜମା ଇସଲାମାବାଦ  ହାଇକୋର୍ଟରେ ତାହିରଙ୍କ ବିରୋଧରେ ଫେରାଦ୍ ହୋଇଥିଲେ। ଏବେ ଇସଲାମାବାଦ୍ ହାଇକୋର୍ଟ ପୁରା ଘଟଣାର ସତ୍ୟାସତ୍ୟ ଉପରେ ତର୍ଜମା କରି ଉଜମାଙ୍କୁ ଏ ସମ୍ପର୍କରୁ ମୁକ୍ତ କରିଛନ୍ତି ।