ପାକିସ୍ତାନକୁ ପୁଣି ଧମକାଇଲେ ସେନାଧ୍ୟକ୍ଷ ରାୱତ

ନୂଆଦିଲ୍ଲୀ: ପାକ ସେନା କୌଣସି ପ୍ରକାରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସ କଲେ, ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ହେବ ବୋଲି ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ କ୍ଷମା ଦିଆଯିବ ନାହିଁ।

ସେ କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି, ପ୍ରାୟୋଜିତ ଆତଙ୍କବାଦ ଏବଂ ବେଆଇନ ଅନୁପ୍ରବେଶକୁ ପାକିସ୍ତାନ ପ୍ରୋତ୍ସାହନ ଯୋଗାଉଛି। ସେ କହିଛନ୍ତି, ଭାରତର ସଶସ୍ତ୍ର ସେନା ଆମ ରାଷ୍ଟ୍ରର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ପାଇଁ ବଦ୍ଧ ପରିକର। କୌଣସି ରାଷ୍ଟ୍ର ବା ଶକ୍ତି ଆମ ସହ ଶତ୍ରୁତା କଲେ ଭାରତୀୟ ସେନା ନିଃସନ୍ଦେହରେ ଏହାର କଡ଼ା ଜବାବ ଦେବେ। ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇବା ସେମାନଙ୍କର ନୂଆ ପନ୍ଥା ପାଲଟିଛି। ତେବେ ଏହାର ମୁକାବିଲା ପାଇଁ ସାଇବର ଏବଂ ମହାକାଶ ବିଜ୍ଞାନର ଭରପୂର ସାହାଯ୍ୟ ନେବା ପାଇଁ ଦେଶ ପ୍ରସ୍ତୁତ ଅଛି।

ସେ ଆହୁରି ମଧ୍ୟ କହିଥିଲେ, କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ କେବେ ମଧ୍ୟ କ୍ଷମା ଦିଆଯିବନି। ଉରି ଏବଂ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ପରେ ଉଭୟ ରାଜନୀତିକ ଏବଂ ସାମରିକ ସ୍ତରରେ ଆତଙ୍କବାଦର ମୁକାବିଲା ପାଇଁ ଆମେ କ’ଣ କରିପାରୁ ତାହା ବାଲାକୋଟ ସର୍ଜିକାଲ ଏୟାର ଷ୍ଟ୍ରାଇକ୍‌ରୁ ପ୍ରମାଣିତ।

ଏହି କାର୍ଯ୍ୟକ୍ରମରେ ସେ ଆହୁରି ମଧ୍ୟ କହିଛନ୍ତି, ଚାଇନା ଲଦାଖ ସୀମା ଅତିକ୍ରମ କରିଥିବା ଭୁଲ କଥା। ସେମିତି କିଛି ହୋଇନାହିଁ। ଗତ ଜୁଲାଇ ୬ ତାରିଖରେ ଦଲାଇ ଲାମାଙ୍କ ଜନ୍ମ ଦିନ ଅବସରରେ ତିବ୍ବତୀୟମାନେ ତିବ୍ବତ ପତାକା ଉତ୍ତୋଳନ କରିବା ପରେ ଚାଇନା ସେନା ଲାଇନ୍‌ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ ଅତିକ୍ରମ କରିଥିବାର ଖବର ମିଳିଥିଲା। ସେନାଧ୍ୟକ୍ଷ ଆଜି ଏହାର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ଚାଇନା ପଟୁ ସେମାନେ ଆସନ୍ତି ଏବଂ ପ୍ୟାଟ୍ରୋଲିଂ କରି ଚାଲି ଯା’ନ୍ତି। ଆମେ ତାଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁ। ସେଦିନ ଆମ ତିବ୍ବତୀୟମାନେ ଡେମ୍‌ଚୋକ୍‌ ସେକ୍ଟରରେ ଉତ୍ସବ ମନାଉଥିଲେ। ଏହାପରେ କିଛି ଚାଇନା ଯବାନ କ’ଣ ଚାଲିଛି ଦେଖିବାକୁ ଆସିଥିଲେ। କିନ୍ତୁ ଏହାକୁ ଅନଧିକାର ପ୍ରବେଶ ବା ଅନୁପ୍ରବେଶ କୁହାଯାଇପାରିବ ନାହିଁ। ସବୁକିଛି ଠିକ୍‌ ଅଛି।”