ଶତ୍ରୁ ତାଲିକାରେ ନୂଆ ନାଁ, ଦିନକୁ ଦିନ ଖରାପ ହେଉଛି ଭାରତ-ମାଳଦ୍ୱୀପ ସମ୍ପର୍କ

ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ବୁଲି ବୈଦେଶିକ ସମ୍ପର୍କକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଦୃଢ କରୁଥିବା ବେଳେ ପଡୋଶୀ ରାଷ୍ଟ୍ର ଭାବେ ଜଣାଶୁଣା ଏକ କ୍ଷୁଦ୍ର ଦେଶ ଭାରତ ବିପକ୍ଷରେ ଯାଉଛି। ପାକିସ୍ତାନ, ଚୀନ୍‌ ଭଳି ପାରମ୍ପରିକ ଶତ୍ରୁ ତାଲିକାରେ ଏବେ ମାଳଦ୍ୱୀପର ନାଁ ଯୋଡି ହୋଇଯାଉଛି। ଧୀରେ ଧୀରେ ଭାରତର ଶତ୍ରୁ ପାଲଟିବାକୁ ବସିଛି ଏହି ରାଷ୍ଟ୍ର।

ଭାରତ ମହାସାଗର ମଧ୍ୟରେ ଥିବା ଏହି ଛୋଟିଆ ରାଷ୍ଟ୍ର ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଗତ ଫେବ୍ରୁଆରୀ ମାସରେ ମାଳଦ୍ୱୀପରେ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଜରୁରୀ ପରିସ୍ଥିତି ଲାଗୁ କରିବା ପରେ ସବୁ କ୍ଷମତା ନିଜ ହାତକୁ ନେଇଯାଇଥିଲେ । ସେବେଠାରୁ ମାଳଦ୍ୱୀପରେ ଏକଛତ୍ରବାଦୀ ଶାସନ ଚାଲିଛି । ଶାସନ କଳ ମନଇଚ୍ଛା କାରବାର ଚଳାଇବା ସହ ଭାରତ ସହ ଶତ୍ରୁତା ଆଚରଣ କରୁଛି।  ଭାରତ ବଦଳରେ ପାକିସ୍ତାନ, ସାଉଦିଆରବ ଓ ଚୀନ୍‌କୁ ଏହି ଦେଶ ନିଜର ବନ୍ଧୁରାଷ୍ଟ୍ର ବୋଲି ଘୋଷଣା କରିଛି । ଏପରିକି ନିକଟରେ ଜାତିସଂଘର ଏକ ଅସ୍ଥାୟୀ ସଦସ୍ୟ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପ ବିପକ୍ଷରେ ଓ ଇଣ୍ଡୋନେସିଆ ସପକ୍ଷରେ ଭୋଟ ଦେଇଥିଲା । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉଛି। ଅବସ୍ୟ ଏହି ଭୋଟରେ ମାଳଦଦ୍ୱୀପ ଶୋଚନୀୟ ଭାବେ ହାରିଯାଇଛି । ହେଲେ ଭାରତ ପାଇଁ ନୂଆ ଶତ୍ରୁ ସୃଷ୍ଟି ହେଉଛି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସାମରିକ ସହଯୋଗ ବଢିଚାଲିଛି । ଇଣ୍ଡୋନେସିଆରେ ଏକ ସାମରିକ ଘାଟି ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରୁଛି । ଅନ୍ତର୍ଜାତୀୟ କୂଟନୀତି କ୍ଷେତ୍ରରେ ମଧ୍ୟରେ ଇଣ୍ଡୋନେସିଆ ଭାରତକୁ ସମର୍ଥନ କରିଆସୁଛି । ଭାରତ ଇଣ୍ଡୋନେସିଆକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଅବ୍ୟାହତ ରଖିଛି ।