କେବଳ କଶ୍ମୀର ନୁହେଁ, ପିଓକେ ପ୍ରସଙ୍ଗରେ ବି ପାକ୍‌ ସହ ଆଲୋଚନା

ନୂଆଦିଲ୍ଲୀ: ଲୋକସଭାରେ ଆଜି ପୁଣିଥରେ ସରକାରଙ୍କ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଶ୍ମୀର ବୟାନ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ବୟାନରେ ସତ୍ୟତା ନଥିବା କଥା କହିଛନ୍ତି।

ଏଥିସହ ସେ ପାକିସ୍ତାନ ସହ କେବଳ କଶ୍ମୀର ନୁହେଁ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି, “ବୈଦେଶିକ ମନ୍ତ୍ରୀ କହି ସାରିଛନ୍ତି ଯେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ କଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାର ପ୍ରଶ୍ନ ଉଠୁନାହିଁ।

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପ କଲେ, ଏହା ଶିମଲା ଚୁକ୍ତିର ଉଲ୍ଲଙ୍ଘନ ହେବ। କଶ୍ମୀର ପ୍ରସଙ୍ଗ ଭାରତର ଜାତୀୟ ସ୍ୱାର୍ଥ ଓ ଗର୍ବ ସହ ଜଡ଼ିତ। ଆମେ ଏଥିରେ କେବେ ହେଲେ ବୁଝାମଣା କରିବୁ ନାହିଁ। ଯଦି କେବେ ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ, ତା’ହେଲେ ପିଓକେ ପ୍ରସଙ୍ଗ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବ।”