ଖାଲିସ୍ତାନୀ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ, ପ୍ରମାଣ ଦେଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସକ୍ରିୟ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ ପାକିସ୍ତାନ ମାଟିରେ ବେଶ ଆରାମରେ ଭୁଲୁଥିଲେ ହେଁ ଇମ୍ରାନ୍‌ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ପାକିସ୍ତାନରେ ଖାଲିସ୍ତାନୀ ଆତଙ୍କବାଦୀମାନେ ରହିଥିବାର ପ୍ରମାଣ ସହ ଭାରତ ସରକାର ଇସ୍‌ଲାମାବାଦକୁ ଏକ ଦସ୍ତାବିଜ ଦେଇଛନ୍ତି।

ଗତ ଜୁଲାଇ ୧୪ରେ ୱାଘା ସୀମାନ୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର କରିଡରକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଭାରତ ୨୩ ପୃଷ୍ଠାର ଏକ ଦସ୍ତାବିଜ୍‌ ପାକିସ୍ତାନର ପ୍ରତିନିଧି ଦଳକୁ ଦେଇଛି।

ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ କରିବା ପାଇଁ ପାକିସ୍ତାନରେ କେମିତି ଯୋଜନା ଚାଲିଛି, ତା’ର ତଥ୍ୟ ଭାରତ ସରକାର ଏହି ଦସ୍ତାବିଜ୍‌ରେ ଉଲ୍ଲେଖ କରିଛନ୍ତି। ଭାରତରେ ନିଷିଦ୍ଧ ଘୋଷିତ ହୋଇଥିବା ଶିଖ୍‌ସ ଫର ଜଷ୍ଟିସ(ଏସ୍‌ଏଫ୍‌ଜେ) ପାକିସ୍ତାନରେ ବେଶ ଆରାମରେ କାର୍ଯ୍ୟ କରୁଛି।

ଖାଲିସ୍ତାନ ସପକ୍ଷବାଦୀ ଗୋପାଲ ସିଂହ ଚାୱଲା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ସହ ଆଲୋଚନା କରୁଥିବାର ଏକ ଫଟୋ ମଧ୍ୟ ଭାରତ ସରକାର ଦସ୍ତାବିଜ୍‌ ଜରିଆରେ ପାକିସ୍ତାନକୁ ଦେଇଛନ୍ତି। ୨୦୧୬ରେ ଖାଲିସ୍ତାନୀ ସପକ୍ଷବାଦୀମାନେ କେଉଁଭଳି ଶିଖ୍‌ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ, ତା’ର ତଥ୍ୟ ମଧ୍ୟ ଭାରତ ସରକାର ଦେଇଛନ୍ତି।