ଏହି ପ୍ରସଙ୍ଗରେ ପାକିସ୍ତାନକୁ ସାଥ ଦେବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି। ଦୁଇ ଦେଶ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ବିରୋଧ କରୁଛନ୍ତି। ହେଲେ ଏମିତି ଏକ ପ୍ରସଙ୍ଗ ରହିଛି, ଯେଉଁଥିରେ ଭାରତ ପଡ଼ୋଶୀ ପାକିସ୍ତାନ ସହ ମିଶି କାର୍ଯ୍ୟ କରିବାକୁ ଚାହୁଁଥିବା ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସେ କହିଛନ୍ତି, “ପାକିସ୍ତାନରେ ଆତଙ୍କବାଦୀ ରହିଥିବା ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ୱୀକାର କରିଛନ୍ତି। ଯଦି ପାକିସ୍ତାନ ଆତଙ୍କବାଦୀଙ୍କର ମୂଳପୋଛ କରିପାରୁ ନାହିଁ, ତା’ହେଲେ ଭାରତର ସହଯୋଗ ଲୋଡ଼ିବା ଦରକାର। ଭାରତ ଓ ପାକିସ୍ତାନ ମିଳିତ ଭାବେ ଆତଙ୍କବାଦର ମୂଳପୋଛ କରିପାରିବେ। ଆମେ ଏହି ପ୍ରସଙ୍ଗରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ରାଜି ଅଛୁ।”

କାରଗିଲ ବିଜୟ ଦିବସରେ ରାଜନାଥ ସିଂହ କହିଛନ୍ତି, “୧୯୯୯ କାରଗିଲ ଯୁଦ୍ଧ ପରେ ସେନା ବାହିନୀରେ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରାଯାଇଛି। ଯଦି ଭବିଷ୍ୟତରେ ଭାରତ ଯୁଦ୍ଧର ସମ୍ମୁଖୀନ ହୁଏ, ତା’ହେଲେ ଶତ୍ରୁ ପକ୍ଷଙ୍କୁ କଡ଼ା ଜବାବ ଦେବାକୁ ଆମ ଯବାନମାନେ ପ୍ରସ୍ତୁତ ରହିଛନ୍ତି।

ଏବେ ଯୁଦ୍ଧ ହେଲେ ୧୯୬୬, ୧୯୭୫ କିମ୍ବା ୧୯୯୯ ତୁଳନାରେ ଭାରତ ବୃହତ୍ତର ବିଜୟ ଲାଭ କରିବ। ଭାରତ କେବେ ହେଲେ କାହା ସହ ଆଗୁଆ ଯୁଦ୍ଧ କରିବାକୁ ଚାହେଁ ନାହିଁ। କିନ୍ତୁ ନିଜର ସୁରକ୍ଷା ପାଇଁ ଭାରତ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିପାରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାହୋର ଗସ୍ତ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ।

ଲାହୋର ଘୋଷଣାନାମାରେ ଉଭୟ ଦେଶ ଦସ୍ତଖତ କରିଥିଲେ। ହେଲେ ଏହାପରେ ପାକିସ୍ତାନ ତା’ର ଅସଲ ଚେହେରା ଦେଖାଇ ୧୯୯୯ ମସିହା ମେ’ ୨୬ରୁ ଜୁଲାଇ ୨୬ ଯାଏ ଭାରତ ସହ ଯୁଦ୍ଧ କରିଥିଲା।”