ଭାରତର କୂଟନୀତିକ ବିଜୟ, ୨ ବର୍ଷ ପାଇଁ ୟୁଏନ୍‌ଏସ୍‌ସିରେ ମିଳିଲା ସଦସ୍ୟତା

ମିଳିତ ଜାତିସଂଘ: କୂଟନୀତିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ସରକାର ଯେଉଁ ଉଦ୍ୟମ କରିଥିଲେ, ଶେଷରେ ଏହାକୁ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଆସନ୍ତା ୨ ବର୍ଷ ପାଇଁ ସଦସ୍ୟ ଭାବେ ମାନ୍ୟତା ମିଳିଛି।

ମିଳିତ ଜାତିସଂଘରେ ଥିବା ୫୫ଟି ଏସିଆ ପ୍ୟାସିଫିକ୍‌ ରାଷ୍ଟ୍ରଗୁଡ଼ିକ ଭାରତକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ସମର୍ଥନ କରିଛନ୍ତି। ଏପରି କି ଚାଇନା ଓ ପାକିସ୍ତାନ ମଧ୍ୟ ଏ କ୍ଷେତ୍ରରେ ଭାରତକୁ ସହାୟତା କରିଛନ୍ତି। ଜାତୀୟ ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟ ପଦ ପାଇଁ ଆସନ୍ତା ବର୍ଷ ଜୁନ୍‌ ୪ରେ ଭୋଟ ହେବ।

ଏହି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ କାର୍ଯ୍ୟକାଳ ୨୦୨୧ରୁ ଆରମ୍ଭ ହେବ। ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ ଆକବରୁଦ୍ଦୀନ ଟ୍ୱିଟ୍‌ କରି କହିଛନ୍ତି ଯେ “ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି। ଏସିଆ ପ୍ୟାସିଫିକ ରାଷ୍ଟ୍ରଗୁଡ଼ିକର ସର୍ବସମ୍ମତ ସମର୍ଥନ ପାଇବା ଦ୍ୱାରା ଭାରତର ଏକ ବଡ଼ କୂଟନୀତିକ ବିଜୟ ହାସଲ କରିଛି। ଭାରତ ଏବେ ୨୦୨୧ରୁ ୨୨ ଯାଏ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ହାସଲ କରିଛି। ସମସ୍ତ ୫୫ ଏସୀୟ ରାଷ୍ଟ୍ର ଭାରତକୁ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।”

ଏହି ୫୫ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ଚାଇନା, ଇଣ୍ଡୋନେସିଆ, ଇରାନ, ଜାପାନ, କ୍ୱଏତ, କିର୍ଗିଜିସ୍ତାନ, ମ୍ୟାଲେସିୟା, ମାଳଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ସିରିୟା, ତୁର୍କୀ, ୟୁଏଇ ଓ ଭିଏତନାମ ରହିଛନ୍ତି। ପ୍ରତିବର୍ଷ ଜାତିସଂଘର ୧୯୩ ସଦସ୍ୟ ବିଶିଷ୍ଟ ମହାସଭା ଦୁଇ ବର୍ଷ ପାଇଁ ୫ଟି ରାଷ୍ଟ୍ରକୁ ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚନ କରେ।

ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା, ଚାଇନା, ରୁଷ, ଫ୍ରାନ୍ସ ଓ ବ୍ରିଟେନ୍‌ ସ୍ଥାୟୀ ସଦସ୍ୟ ରହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ୧୦ ଅସ୍ଥାୟୀ ଆସନ ଅଞ୍ଚଳ ଆଧାରରେ ବଣ୍ଟା ଯାଇଥାଏ। ଆଫ୍ରିକା ଓ ଏସିଆ ପାଇଁ ୫, ପୂର୍ବ ୟୁରୋପ ଭାଗରେ ୧, ଲାଟିନ ଆମେରିକା ଓ କାରାବିୟାନ ପାଇଁ ୨ଟି ଓ ପଶ୍ଚିମ ୟୁରୋପ ପାଇଁ ୨ଟି ଆସନ ରହିଛି।

ଏହାପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇପାରି ଥିଲା।