ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍‌କୁ ଭାରତର ତାଗିଦ୍‌

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଇସ୍‌ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଇମ୍ରାନ୍‌ଙ୍କ ଏହି ସ୍ୱୀକାରୋକ୍ତିକୁ ନେଇ ଆଜି ଭାରତ ସରକାର ପାକିସ୍ତାନ ଉପରେ ପଞ୍ଝା କଷିଛନ୍ତି।

ଆତଙ୍କବାଦୀଙ୍କ ଉପରେ ଏବେଠାରୁ ହିଁ ଇମ୍ରାନ୍‌ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଵୀଶ କୁମାର କହିଛନ୍ତି। ସେ କହିଛନ୍ତି, “ପାକ୍‌ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ କ୍ୟାମ୍ପ ରହିଛି। ଏଥିସହ ପାକିସ୍ତାନରୁ ଟ୍ରେନିଂ ନେଇ ଆତଙ୍କବାଦୀମାନେ କଶ୍ମୀର ଆସୁଛନ୍ତି।

ତେଣୁ ଏଭଳି ଆତଙ୍କୀ କ୍ୟାମ୍ପଗୁଡ଼ିକୁ ନଷ୍ଟ କରିବା ପାଇଁ ଇମ୍ରାନ୍‌ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। କେବଳ ଲୋକ ଦେଖାଣିଆ ଭାବେ ପାକିସ୍ତାନ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହେବନାହିଁ।

ଆତଙ୍କୀଙ୍କୁ ପାକିସ୍ତାନ ସରକାର ଖତମ କରିଦେବା ଉଚିତ। ପୂର୍ବରୁ ମଧ୍ୟ ଇମ୍ରାନ୍‌ ଖାନ୍‌ ପାକିସ୍ତାନରେ ଆତଙ୍କବାଦୀ ଓ ଆତଙ୍କୀ କ୍ୟାମ୍ପ ଥିବା କଥା ସ୍ୱୀକାର କରିଥିଲେ। ଏବେ ଆଉ କଥା ନୁହେଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି।”