ଆତଙ୍କ ମୁକ୍ତ ପରିବେଶରେ ପାକିସ୍ତାନ ସହ କଥା ହେବା ପାଇଁ ରାଜି: ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଆତଙ୍କ ଓ ହିଂସା ମୁକ୍ତ ବାତାବରଣରେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବା ପାଇଁ ରାଜି ଅଛି। ଗତକାଲି ୟୁରୋପୀୟ ସଂଘର କମିଶନର କ୍ରିସ୍ଟୋସ ଷ୍ଟାଇଲିନାଇଡ୍ସଙ୍କ ସହ ବୈଠକ କରିବା ବେଳେ ସେ ଏହି କଥା କହିଥିଲେ।

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜୋର ଧରିଥିବା ବେଳେ କୂଟନୀତି ସ୍ତରରେ ବିବାଦର ଆପୋଷ ସମାଧାନ ପାଇଁ କରିବାକୁ ୟୁରୋପୀୟ ସଂଘ ଉଭୟ ଦେଶକୁ ଆହ୍ୱାନ କରିଛି।

ଅନ୍ୟପଟେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ କହିଛନ୍ତି ପାକସ୍ତାନ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସବୁବେଳେ ରାଜି।


ୟୁରୋପୀୟ ସଂଘ ସହ ବୈଠକ ବେଳେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଇରାନ୍ ଓ ଆଫଗାନିସ୍ତାନ ସମ୍ପର୍କରେ ଭାରତର ଦୃଷ୍ଟିକୋଣ ବାବଦରେ କହିଛନ୍ତି। ଜମ୍ମୁ କଶ୍ମୀର ଓ ଲଦାଖରେ କିଭଳି ବିକାଶ ହେବ ସେ ବାବଦରେ ମଧ୍ୟ ଭାରତ ତା’ର ମତ ୟୁରୋପୀୟ ସଂଘ ଆଗରେ ରଖିଛି ବୋଲି ଜୟଶଙ୍କର କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଛି। ଏବେ ଉଭୟ ଦେଶ ମଧ୍ୟରେ ବ୍ୟାବସାୟିକ, ସାଂସ୍କୃତିକ ଓ କୂଟନୀତିକ ସମ୍ପର୍କ ଦୁର୍ବଳ ହୋଇଛି। କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ପାକିସ୍ତାନ ଧାରା ୩୭୦ ଉଚ୍ଛେଦକୁ ବେଆଇନ କହିବାକୁ ଚେଷ୍ଟା କରୁଛି। ଅନ୍ୟପଟେ ଅନ୍ୟ ସମସ୍ତ ପ୍ରମୁଖ ଦେଶ କଶ୍ମୀର ଭାରତର ଅନ୍ତରୀଣ ପ୍ରସଙ୍ଗ କହୁଛନ୍ତି। ଯାହାକୁ ନେଇ ପାକିସ୍ତାନ ନିରାଶ ହୋଇଛି। ଏହାରି ଭିତରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପରମାଣୁ ଧମକ ଓ ଆତଙ୍କବାଦୀ ଆକ୍ରମଣ କରିବ ବୋଲି କହିସାରିଛି।