ଜଣେ ଭାରତୀୟଙ୍କ ସମେତ ୩ ଜଣଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

କାବୁଲ: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଅନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀଙ୍କୁ ଆଜି ଆତଙ୍କବାଦୀ ମାନେ ଅପହରଣ କରିବା ପରେ ହତ୍ୟା କରିଛନ୍ତି।

ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି। ସେହିପରି ଅନ୍ୟଜଣେ ମ୍ୟାଲେସିଆର ହୋଇଥିବା ବେଳେ ଆଉଜଣେ ମାସେଡନିଆର ନାଗରିକ।

ଏମାନେ ସମସ୍ତେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଖାଦ୍ୟ ଓ କ୍ୟାଟ୍‌ରିଂ କମ୍ପାନୀ ‘ସୋଡେକସୋ’ରେ କାମ କରୁଥିଲେ।

ଏମାନେ କାର୍ଯ୍ୟ କରୁଥିବା ବେଳେ ଆତଙ୍କବାଦୀମାନେ କମ୍ପାନୀ ଭିତରେ ପଶି ୩ ଜଣଙ୍କୁ ଅପହରଣ କରି ନେଇଥିଲେ। ମଧ୍ୟାହ୍ନ ସମୟରେ ଏମାନଙ୍କ ମୃତଦେହ ମିଳିଛି।

ମୃତଦେହ ନିକଟରେ ପଡ଼ିଥିବା ପରିଚୟପତ୍ରରୁ ଏମାନଙ୍କ ସମ୍ପର୍କରେ ତଥ୍ୟ ମିଳିଛି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।