ପାକିସ୍ତାନକୁ ଭାରତର ମୁହଁତୋଡ଼ ଜବାବ: ତୋପ ମାଡ଼ରେ ବହୁ ଶିବିର ଧ୍ୱଂସ

ନୂଆଦିଲ୍ଲୀ: ପାକିସ୍ତାନ ସେନା ସୀମାରେ ବର୍ବରକାଣ୍ଡ ଘଟାଇ ଅତି ନୃଶଂସ ଭାବେ ଭାରତୀୟ ଯବାନଙ୍କୁ ଗତକାଲି ହତ୍ୟା କରିଥିବାର ଦୃଢ଼ ଜବାବ ଦେଇଛନ୍ତି ଭାରତୀୟ ସେନା। ଭାରତ ପଟୁ  ଗୁଳି ଗୋଳା ବର୍ଷଣ କରାଯାଇ ପାକିସ୍ତାନର କିଛି ପୋଷ୍ଟ ଓ ବହୁ ବଙ୍କର ଧ୍ୱଂସ କରି ଦିଆଯାଇଛି।  ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନ ସେନାର ଗଭୀର କ୍ଷତି ହୋଇଛି।

ଗତକାଲି ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାରେ ଭାରତୀୟ ସେନା ପୋଷ୍ଟକୁ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ମାଡ଼ କରାଯାଇଥିଲା। ଫଳରେ ଜଣେ କ୍ୟାପଟନ୍ ସମେତ ଚାରି ଜଣ ଯବାନ ସହିଦ ହୋଇଥିଲା ବେଳେ ୪ ଜଣ ଯବାନ ଆହତ ହୋଇଥିଲେ।ପାକିସ୍ତାନ ସେନାର ଗୁଳିମାଡ଼ ଯୋଗୁଁ ସୀମା ନିକଟବର୍ତ୍ତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଭାରତୀୟ ସୀମାରେ ପାକିସ୍ତାନର ବାରମ୍ବାର ଆକ୍ରମଣ କରୁଥିବା ନେଇ ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରି ଦିଆଯାଇଛି। ବାରମ୍ବାର ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଗୁଳିମାଡ଼ କରିଥାଏ। ଏପରିକି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ପାକ୍ ସେନା ପକ୍ଷରୁ ଏପରି କରାଯାଉଥିବା ପ୍ରମାଣିତ ହୋଇଛି।