ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ଭାରତର

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ଶକ୍ତି କେତେ ଏହା ସାରା ଦୁନିଆ ଜାଣିଛି। ବିଶେଷ କରି ପିଓକେରେ ଭାରତୀୟ ଯବାନଙ୍କ ସଜ୍ରିକାଲ୍‌ ଷ୍ଟ୍ରାଇକ୍‌ ପରେ ସାରା ଦୁନିଆ ଭାରତୀୟଙ୍କ ଶକ୍ତିକୁ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛନ୍ତି। ମିଳିଥିବା ଏକ ରିପୋର୍ଟ ଅନୁସାରେ ଦୁନିଆରେ ଶକ୍ତିଶାଳୀ ସେନା ତାଳିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ ଭାରତୀୟ ସେନା ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନ।

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗ୍ଲୋବାଲ ଫାୟରପାୱର (ଜିଏଫ୍‌ପି) ରାଙ୍କିଂଗରେ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ହେଉଛି ଭାରତର। ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଋଷ ଓ ଚୀନ୍‌ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତ ପଛକୁ ବ୍ରିଟେନ୍‌, ଫ୍ରାନ୍ସ, ଜାପାନ, ତୁର୍କୀ, ଜର୍ମାନୀ ପରି ଦେଶ ରହିଛନ୍ତି। ଏହି ତାଲିକାର ୧୩ତମ ସ୍ଥାନରେ ପାକିସ୍ତାନ ରହିଛି। ପାକିସ୍ତାନ ପ୍ରଥମ ଥର ପାଇଁ ଏହି ତାଲିକାର ୧୫ ଦେଶ ମଧ୍ୟରେ ସାମିଲ ହୋଇଛି।

indian armyଭାରତୀୟ ସୈନ୍ୟ କ୍ଷମତା ଚୀନ୍‌ଠାରୁ ଅଧିକ

ଜିଏଫ୍‌ପି ଆକଳନ ଅନୁସାରେ ଭାରତର ସୈନ୍ୟ କ୍ଷମତା ଚୀନ୍‌ଠାରୁ ଅଧିକ। ଭାରତରେ ୪୨ ଲକ୍ଷ ୭ହଜାର ୨୫୦ ସୈନିକ ଥିବା ବେଳେ ଚୀନ୍‌ ପାଖରେ ୩୭ ଲକ୍ଷ ୧୨ ହଜାର ୫୦୦ ସୈନିକ ଅଛନ୍ତି। ଚୀନ୍‌ ପାଖରେ ୨୨ ଲକ୍ଷ ୬୦ ହଜାର ସକ୍ରିୟ ସୈନ୍ୟ ଥିବା ବେଳେ ଭାରତ ପାଖରେ ୧୩ ଲକ୍ଷ ୬୨ ହଜାର ୫୦୦ ଅଛନ୍ତି। ଭାରତର ରିଜର୍ଭ ବାଟାଲିୟନ ଶକ୍ତି ୨୮ ଲକ୍ଷ ୪୪ ହଜାର ୭୫୦ ଥିବା ବେଳେ ଚୀନ୍‌ର ୧୪ ଲକ୍ଷ ୫୨ ହଜାର ୫୦୦ ରହିଛି।

ସୈନ୍ୟଶକ୍ତି ଆକଳନ କରାଯିବା ପକ୍ରିୟା

ଜିଏଫ୍‌ପି ଏହି ଆକଳନ କରିବା ପାଇଁ ଦେଶର ସୈନ୍ୟ କ୍ଷମତାକୁ ୫୦ ଅଲଗା ଅଲଗା ପର୍ଯ୍ୟାୟରେ ପରଖି ଥାଏ। ଏଥିରେ ସୈନ୍ୟ ସାଧନ ସହ ପ୍ରାକୃତିକ ସଂସାଧନ, ଉଦ୍‌ଯୋଗ, ଭୌଗଳିକ ପରିସ୍ଥିତି ଓ ଶ୍ରମଶକ୍ତିକୁ ଆକଳନ କରାଯାଇଥାଏ। ଏଥିରେ ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମିଲ କରାଯାଇ ନଥାଏ। ହେଲେ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ଦେଶଙ୍କୁ ବିଶେଷ ଅଙ୍କ ଦିଆଯାଇଥାଏ। ଏହାସହ ପ୍ରତିରକ୍ଷା ବଜେଟ୍‌କୁ ମଧ୍ୟ ଏଥିରେ ସାମିଲ କରାଯାଇଥାଏ।