ଜାପାନ: ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତରମ୍‌’ ନାରାରେ ସଭାଗୃହ କମ୍ପାଇଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ମନ୍ଦିର ଏବଂ ରାମ ଚରିତ ମାନସରୁ ସଂସଦ ପହଞ୍ଚିଥିବା ‘ଜୟ ଶ୍ରୀରାମ’ ନାରା ଆଜି ଜାପାନରେ ମଧ୍ୟ ଗୁଞ୍ଜରିତ ହୋଇଛି। ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରବାସୀ ଭାରତୀୟଙ୍କୁ ଅଭିଭାଷଣ ଦେଉଥିଲେ। ତେବେ ତାଙ୍କ ଭାଷଣ ସରିବା ପରେ ଉପସ୍ଥିତ ପ୍ରବାସୀ ଭାରତୀୟମାନେ ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତାରମ୍‌’ ନାରାରେ ସଭାଗୃହ କମ୍ପାଇ ଦେଇଥିଲେ। ମୋଦିଙ୍କ କାର୍ଯ୍ୟକ୍ରମ ଶେଷରେ ‘ଭାରତ ମାତା କୀ ଜୟ’ ଭଳି ନାରା ସମଗ୍ର ପରିବେଶରେ ଭାରତୀୟପଣ ଭରିଦେଇଥିଲା।

ଆଜି ଭାଷଣରେ ମୋଦି କହିଥିଲେ, ଏହି ପ୍ରବାସୀ ଭାରତୀୟମାନେ ଜାପାନରେ ଭାରତୀୟଙ୍କ ପ୍ରତିନିଧି।

ସୂଚନାଯୋଗ୍ୟ, ‘ଜୟ ଶ୍ରୀରାମ’ ନାରା ଏବେ ଭାରତରେ ଅନ୍ୟତମ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଛି। ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଶ୍‌ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିବାବେଳେ ସଂସଦର ନବନିର୍ବାଚିତ ସଦସ୍ୟମାନେ ଗୃହରେ ଶପଥ ନେବା ସମୟରେ ମଧ୍ୟ ଏହି ନାରା ଦେଇ ଚର୍ଚ୍ଚାକୁ ଆସିଥିଲେ।