ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ସମୁଦ୍ରରେ ସଜାଗ ରହିଥିଲା ପାକିସ୍ତାନ ନୌସେନା

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିବା ପରେ ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା।

ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା କରିଥିଲା। ହେଲେ ଏହି ସମୟରେ ସମୁଦ୍ରପଥରେ ପାକିସ୍ତାନର ସବୁଠୁ ଅତ୍ୟାଧୁନିକ କୁହାଯାଉଥିବା ଅଗୋଷ୍ଟା କ୍ଲାସ୍ ସବମରୀନ-ପିଏନଏସ ସାଦ୍ କରାଚୀ ଜଳସୀମାରୁ ହଠାତ ଗାଏବ ହୋଇଯାଇଥିଲା। ଯାହା ଭାରତୀୟ ନୌସେନା ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା। ଏହାପରେ ଭାରତୀୟ ସେନା ମଧ୍ୟ ଏହାକୁ ଖୋଜିବା ପାଇଁ ଆରମ୍ଭ କରିଥିଲା। ୨୧ ଦିନ ପରେ ଏହି ଅଗୋଷ୍ଟା କ୍ଲାସ୍ ସବମରୀନ(ବୁଡ଼ାଜାହାଜ)-ପିଏନଏସ ସାଦ୍ ପାକିସ୍ତାନର ପଶ୍ଚିମ ଭାଗରେ ମିଳିଥିଲା।

ସୂଚନାଯୋଗ୍ୟ କରାଚୀ ନିକଟରେ ଏହି ଅଗୋଷ୍ଟା କ୍ଲାସ୍ ସବମରୀନ-ପିଏନଏସ ସାଦ୍ ଗାଏବ ହୋଇଥିଲା। ଏହି ବୁଡ଼ାଜାହାଜକୁ ଭାରତ ଉପରେ ଆକ୍ରମଣ କରିବା ପାଇଁ ନିୟୋଜିତ କରାଯାଇପାରେ ବୋଲି ଆଶଙ୍କା କରି ନୌସେନା ତାକୁ ଠାବ କରିବାକୁ ଚେଷ୍ଟା କରିଥିଲା। ଏହି ବୁଡ଼ାଜାହାଜକୁ କରାଚୀରୁ ଗୁଜରାଟ ଉପକୂଳ ଓ ମୁମ୍ୱାଇରେ ପହଞ୍ଚିବାକୁ ଯଥାକ୍ରମେ ୩ ଦିନ ଓ ୫ ଦିନ ଲାଗିଥାନ୍ତା। ଶେଷରେ ୨୧ ଦିନ ପରେ ଅଗୋଷ୍ଟା କ୍ଲାସ୍ ସବମରୀନ-ପିଏନଏସ ସାଦକୁ ପାକିସ୍ତାନର ପଶ୍ଚିମ ଭାଗରେ ଠାବ କରାଯାଇଥିଲା। ଭାରତ ପକ୍ଷରୁ ଜଳପଥରେ ଆକ୍ରମଣ ହେବାର ଭୟ ଯୋଗୁ ଏହାକୁ ସେଠାରେ ଲୁଚାଇ ରଖାଯାଇଥିଲା ବୋଲି ପରେ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ପୁଲୱାମାରେ ସିଆରପିଏଫ ଯବାନଙ୍କ କନଭୟ ଉପରକୁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଆକ୍ରମଣ କରିଥିଲା। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ପାକିସ୍ତାନକୁ ଜବାବ ଦେବାକୁ ଯାଇ ପେବୃଆରୀ ୨୬ ତାରିଖରେ ବାଲାକୋଟ ସ୍ଥିତ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଦେଖାଦେଇଥିଲା।