‘ଗୁଗୁଲ୍’ ବିରୋଧରେ ୫୦ ମିଲିୟନ ଡଲାରର ମକଦ୍ଦମା କଲେ ତୁଲସୀ ଗାବାର୍ଡ

ୱାଶିଂଟନ୍‌: ଆମେରିକାର ଡେମୋକ୍ରାଟିକ୍‌ ପାର୍ଟିର ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ମହିଳା ତୁଲସୀ ଗାବାର୍ଡ ‘ଗୁଗୁଲ୍’ ଉପରେ ୫୦ ମିଲିୟନ ଡଲାରର ମକଦ୍ଦମା ରୁଜୁ କରିଛନ୍ତି। ତାଙ୍କ ୨୦୨୦ ନିର୍ବାଚନ ପ୍ରଚାରରେ ଗୁଗୁଲ୍ ଭେଦଭାବ କରୁଥିବାରୁ ଓ ତାଙ୍କ ବାକ୍‌ ଅଧିକାର ଉପରେ ରୋକ ଲଗାଉଥିବାରୁ ତୁଲସୀ ଏଭଳି ମାମଲା ରୁଜୁ କରିଛନ୍ତି।

ତୁଲସୀ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ୩୮ ବର୍ଷୀୟ ତୁଲସୀ ହାୱାଇରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୩ରେ ସେ ପ୍ରଥମଥର ନିର୍ବାଚନ ଲଢ଼ିଥିଲେ। ସେ ଲସ ଏଞ୍ଜେଲସର ଫେଡେରାଲ କୋର୍ଟରେ ଏଭଳି ମାମଲା ରୁଜୁ କରିଛନ୍ତି।

ଜୁନ୍‌ ମାସରେ ପ୍ରଥମ ଡେମୋକ୍ରାଟିକ୍‌ ବିତର୍କ ପରେ ‘ଗୁଗୁଲ୍’ ତାଙ୍କ ପ୍ରଚାର ବିଜ୍ଞାପନକୁ କିଛି ସମୟ ପାଇଁ ସ୍‌ସପେଣ୍ଡ କରି ଦେଇଥିଲା। ତୁଲସୀଙ୍କ ପ୍ରଚାର କମିଟିର କହିବା ଅନୁଯାୟୀ, “ଗୁଗୁଲ ତୁଲସୀଙ୍କ ପ୍ରଚାର ବିଜ୍ଞାପନ ଆକାଉଣ୍ଟକୁ ୨୭ ଜୁନ୍‌ରେ ୬ ଘଣ୍ଟା ପାଇଁ ବାତିଲ କରିଦେଇଥିଲା। ୨୮ ଜୁନ୍‌ରେ ମଧ୍ୟ ତୁଲସୀଙ୍କ ସହ ଏଭଳି ଘଟଣା ଘଟିଥିଲା।

ଆକାଉଣ୍ଟ ସସ୍‌ପେଣ୍ଡ ହେବାରୁ ତୁଲସୀ ଲୋକଙ୍କ ପାଖରେ ପହଞ୍ଚି ପାରି ନଥିଲେ। ଏଥିସହ ତାଙ୍କୁ ମିଳୁଥିବା ଚାନ୍ଦା ମଧ୍ୟ ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ସେ ବହୁତ କ୍ଷତି ସହିଛନ୍ତି।”