ନ୍ୟୁଜିଲ୍ୟାଣ୍ଡ ନରସଂହାରରେ ୫ ଭାରତୀୟ ମୃତ

ୱେଲିଂଟନ୍‌: ଗତକାଲି ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟ ଚର୍ଚ୍ଚରେ ସଂଘଟିତ ନରସଂହାରରେ ୭ ଜଣ ଭାରତୀୟଙ୍କ ମଧ୍ୟରୁ ୫ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ୭ ଜଣ ପ୍ରବାସୀ ଭାରତୀୟ ଏବଂ ୨ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି, ଏଥିସହ ୨ ଜଣ ଭାରତୀୟ ଚିକିତ୍ସାଧୀନ ଥିବା ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ହାଇକମିଶନ୍‌ ପକ୍ଷରୁ କୁହାଯାଇଥିଲା।

ସେମାନଙ୍କ ମଧ୍ୟରୁ ୪ ଜଣ ଗୁଜରାଟରୁ ଏବଂ ସେମାନେ ସମସ୍ତେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ୩ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଜଣେ ବର୍ତ୍ତମାନ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ବର୍ତ୍ତମାନ ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ଜଣାପଡ଼ିଛି।

ଶୁକ୍ରବାର ସେଣ୍ଟ୍ରାଲ କ୍ରାଏଷ୍ଟ ଚର୍ଚ୍ଚଠାରେ ଥିବା ଦୁଇଟି ମସ୍‌ଜିଦ୍‌ ଉପରେ ହୋଇଥିବା ଆକ୍ରମଣରେ ପ୍ରାୟ ୪୯ ଜଣଙ୍କର ଜୀବନ ଯାଇଥିଲା। ଏହାକୁ କୌଣସି ପାଶ୍ଚାତ୍ୟ ରାଷ୍ଟ୍ରରେ ମୁସ୍‌ଲିମ୍‌ଙ୍କ ଉପରେ ହୋଥିବା ସବୁଠାରୁ ବଡ଼ ଆକ୍ରମଣ କୁହାଯାଉଛି।

ମୃତକଙ୍କ ମଧ୍ୟରେ ରମିଜ୍‌ ବୋରା ଏବଂ ଆରିଫ୍‌ ବୋରା ନାମରେ ଦୁଇଜଣ ଅଛନ୍ତି। ରମିଜ୍‌ଙ୍କ ଜଣେ ସମ୍ପର୍କୀୟ ମୋହସିନ୍‌ ବୋରା କହିବା ଅନୁଯାୟୀ, ଆରିଫ୍‌ଙ୍କ ପତ୍ନୀ ରୁକ୍‌ସାନା ଏହି ଦୁଃଖଦ ଖବର ଦେଇଥିଲେ। ଏହା ପରେ ପରିବାରରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ସେମାନେ ସେଠାକୁ ନମାଜ୍‌ ପାଠ କରିବାକୁ ଯାଇଥିଲେ ଏବଂ ରୁକ୍‌ସାନା ସେମାନଙ୍କୁ ଯୋଗାଯୋଗ କରିବାରେ ବିଫଳ ହେବାରୁ ପରିବାର ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରାଯାଇଥିଲା ବୋଲି ସେ କହିଛନ୍ତି।

ଅନ୍ୟ ଜଣେ ମୃତକ ହାଫିଜ୍‌ ମୁସା ୱାଲିଙ୍କ ଭାଇ ହାଜି ଅଲ୍ଲୀ ପଟେଲ କହିଛନ୍ତି, ତାଙ୍କ ଭାଇ ମୁସା ହସ୍ପିଟାଲରେ ଚିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସେ ଏହା ପୂର୍ବରୁ ମଧ୍ୟ କହିଥିଲେ, “ମୋ ଭାଇ ଏବଂ ତାଙ୍କ ସ୍ତ୍ରୀ ମସଜିଦ୍‌ ଯାଇଥିଲେ। ମୋ ଭାଇର ପଛପଟୁ ଗୁଳିମାଡ଼ ହୋଇଥିଲା ଏବଂ ପୁଲିସ୍ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ମୋ ଭାଉଜ ତାଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ ମଧ୍ୟ ତାଙ୍କୁ ଛଡ଼ାଯାଇନଥିଲା। ମୁଁ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅନୁରୋଧ କରୁଛି ତାଙ୍କୁ ଭେଟିବାର ସୁଯୋଗ ଦିଆଯାଉ।”

ଅନ୍ୟଜଣେ ହେଉଛନ୍ତି ତେଲେଙ୍ଗାନାର ମହମ୍ମଦ ଫରହାଜ୍‌ ଏହସାନ୍‌। ତାଙ୍କ ଭାଇ ଖାସିମ୍‌ ଖାନ୍‌ କହିଥିଲେ, ଆମେ ନ୍ୟୁଜିଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ପାଇଲୁ ଏହସାନ୍‌ ମୃତ୍ୟୁବରଣ କରିଛି। ଏହସାନ୍‌ ୧୦ ବର୍ଷ ହେଲା ନ୍ୟୁଜିଲ୍ୟାଣ୍ଡରେ ରହିଆସୁଥିଲେ। ତାଙ୍କ ସହିତ ତେଲେଙ୍ଗାନାର ମହମ୍ମଦ ଇମ୍ରାନ୍‌ ଅହମ୍ମଦ ଖାନ୍‌ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ତେଲେଙ୍ଗାନାରୁ ମୋଟ ୩ ଜଣଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ଆହତ ମଧ୍ୟ ତେଲେଙ୍ଗାନାରୁ ବୋଲି ଜଣାପଡ଼ିଛି। ଅହମ୍ମଦ ଇକ୍‌ବାଲ ଜାହାଙ୍ଗୀର ବର୍ତ୍ତମାନ ସୁସ୍ଥ ହେଉଥିବାର ଖବର ମିଳିଛି।