କଳା ଟଙ୍କା ହିସାବ : ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି କମିଛି,୨୦୦୬ରେ ଥିଲା ୨୩ ହଜାର କୋଟି

ନୂଆଦିଲ୍ଲୀ: ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କରେ ଥିବା କଳା ଟଙ୍କାକୁ ନେଇ ଖୋଲିଲା ଗୁମର।  ଅନ୍ୟ ଦେଶ ତୁଳନାରେ ସୁଇସ୍‌ ବ୍ୟାଙ୍କରେ  ଭାରତୀୟଙ୍କ ଅଳ୍ପ ଟଙ୍କା ଜମା ଥିବା  ସୁଇଜରଲାଣ୍ଡର  ଘରୋଇ ବ୍ୟାଙ୍କ ସଂଘ ପକ୍ଷରୁ କୁହାଯାଇଛି। ବିଶେଷ କରି ସିଙ୍ଗାପୁର ଏବଂ ହଙ୍ଗକଙ୍ଗ ତୁଳନାରେ ଭାରତୀୟ ସ୍ୱଳ୍ପ ଜମାରାଣି ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ହେଉଥିବା ଜମାରାଶି ଦ୍ରୁତ ହ୍ରାସ ଘଟିଛି। ୨୦୧୫ ସୁଦ୍ଧା ଏହି ଜମାରାଶି ୧.୨ ବିଲିୟନ ଫ୍ରାଙ୍କ ଅର୍ଥାତ ଭାରତୀୟ ମୁଦ୍ରାରେ ୮,୩୯୨ କୋଟି ଟଙ୍କା କମିଯାଇଥିବା ଜଣାପଡ଼ିଛି।

ସେହିପରି ସୁଇସ୍‌ ନ୍ୟାଶନାଲ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ୨୦୧୫ରେ ୧୨୧୭,୬ ନିୟୁତ  ସିଏଚ ଏଫ( ସୁଇସ କରେନ୍ସି)ରୁ ୫୯୬,୪୨ ନିୟୁତ ସିଏଚ ଏଫ ହ୍ରାସ ପାଇଛି। ୨୦୦୬ ବେଳକୁ ସୁଇସ୍ ବ୍ୟାଙ୍କରେ ୬.୫ ବିଲିୟନ ସିଏଚଏଫ ଅର୍ଥାତ ୨୩,୦୦୦ କୋଟି ଟଙ୍କା ଥିଲା। ଏହା ପରଠାରୁ  ଏହି ପରିମାଣ ହ୍ରାସପାଇ ଥିଲେ ମଧ୍ୟ ୨୦୧୧ ଏବଂ ୨୦୧୩ରେ ଏହାର ପରିମାଣ ବୃଦ୍ଧି ପାଇଥିଲା। ୨୦୧୧ ସୁଇସ୍‌ ବ୍ୟାଙ୍କରେ ଜମା ରାଶି ୧୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୧୩ରେ ୪୨ ପ୍ରତିଶତ ବୃଦ୍ଧି ପାଇଥିଲା।