ଭାରତର ପ୍ରଥମ ମହିଳା ଡିଜିପିଙ୍କ ଦେହାନ୍ତ

ଡେରାଡୁନ୍‌: ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ଆଜି ପରଲୋକ ଘଟିଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ୧୯୭୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ସେ ୨୦୦୪ରେ ପ୍ରଥମ ମହିଳା ଭାବେ ଉତ୍ତରାଖଣ୍ଡର ଡିଜିପି ହୋଇ ଇତିହାସ ରଚିଥିଲେ। ଏହି ପଦରୁ ସେ ୨୦୦୭ ମସିହା ଅକ୍ଟୋକର ୩୧ରେ ଅବସର ନେଇଥିଲେ।

ଚାକିରିରୁ ଅବସର ନେବା ପରେ ସେ ରାଜନୀତିରେ ପାଦ ଦେଇଥିଲେ। ୨୦୧୪ରେ ସେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ହରିଦ୍ୱାରରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ଲୋକସଭାକୁ ନିର୍ବାଚିତ ହୋଇ ପାରି ନଥିଲେ।

ଆଜି ତାଙ୍କ ବିୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡ ପୁଲିସ୍‌ ପକ୍ଷରୁ ମଧ୍ୟ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

୩୩ ବର୍ଷ ଧରି ପୁଲିସ୍‌ ସେବାରେ ନିଜକୁ ଉର୍ତ୍ସଗ କରିଥିବା ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ସିଆଇଏସ୍‌ଏଫ୍‌ର ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୭ରେ ତାଙ୍କୁ ରାଷ୍ଟ୍ରପତି ପଦକ ମିଳିଥିଲା। ତାଙ୍କୁ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରାଜୀବ ଗାନ୍ଧି ପୁରସ୍କାର ମଧ୍ୟ ମିଳିଛି।