ପିଓକେରେ ଆକ୍ରମଣ କରିବାକୁ ଯୋଜନା କରୁଛି ଭାରତ: ପାକ୍‌ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇ ପଡ଼ିଥିବା ପାକିସ୍ତାନ, ଏବେ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିଛି। ଏହି ଅପପ୍ରଚାରର କମାଣ ଖୋଦ୍‌ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ ଖାନ୍‌ ଧରିଛନ୍ତି।

ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ୍‌ ଖାନ୍‌ ଭାରତ ବିରୋଧରେ ବିଷଓଗାଳିଛନ୍ତି। ପିଓକେର ରାଜଧାନୀ ମୁଜାଫରବାଦରେ ଇମ୍ରାନ୍‌ କହିଛନ୍ତି, “ଭାରତ ସରକାର ଓ ସେନା ପାକିସ୍ତାନର କଶ୍ମୀରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି।

ଭାରତ ସବୁ ଯୋଜନା ପାକିସ୍ତାନ ସେନା ଜାଣିବାକୁ ପାଇଛି। ଏଥିପାଇଁ ପାକିସ୍ତାନ ସେନା ଏଠାରେ ହାଇଆଲର୍ଟରେ ରହିଛନ୍ତି। ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଏହାର ଦୃଢ଼ ଜବାବ ଦେବାକୁ ପାକିସ୍ତାନ ସେନା ପ୍ରସ୍ତୁତ ରହିଛନ୍ତି।

ମୁଁ ସର୍ବଦା କହି ଆସିଛି, ଭାରତ ଯଦି ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ଶକ୍ତିଶାଳୀ କରିବାକୁ ଗୋଟିଏ ପାଦ ଆଗକୁ ନିଏ, ତା’ହେଲେ ଆମେ ଦୁଇ ପାଦ ନେବୁ। କିନ୍ତୁ ଆମେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଥିବା ବେଳେ ପାକିସ୍ତାନର କଶ୍ମୀରରେ ଭାରତ ଆକ୍ରମଣ କରିବାକୁ ଯୋଜନା କରୁଛି।

ସେମାନେ ଜମ୍ମୁ-କଶ୍ମୀରରେ କର୍ଫ୍ୟୁ ଜାରି କରି ଅନେକ ଗଣସଂହାର କରୁଛନ୍ତି। ଏବେ ଏଥିରୁ ବିଶ୍ୱବାସୀଙ୍କୁ ଧ୍ୟାନଚ୍ୟୁତ କରିବା ପାଇଁ ଭାରତୀୟ ସେନା ପିଓକେରେ ଆକ୍ରମଣ କରିବାକୁ ଚାହୁଁଛନ୍ତି।” ଏହାପୂର୍ବରୁ ଇମ୍ରାନ୍‌ ଭାରତକୁ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ।