ସ୍କୁଲ୍‌ରେ ଝିଅଙ୍କ ଅନ୍ତଃବସ୍ତ୍ରର ରଙ୍ଗକୁ ନେଇ ବି ନିୟମ

ପୁନେ: ସ୍କୁଲ୍‌ଗୁଡ଼ିକରେ ଅନେକ ନିୟମ ରହିଥାଏ। ସେ ସରକାରୀ ସ୍କୁଲ୍ ହେଉ ଅବା ବେସରକାରୀ ସ୍କୁଲ୍‌। ପିଲାମାନଙ୍କ ୟୁନିଫର୍ମ, ଶିକ୍ଷକଙ୍କ ୟୁନିଫର୍ମ, ପାଠପଢ଼ା ସମୟ ଓ ଖାଇବାପିଇବା ଆଦିକୁ ନେଇ ବିଭିନ୍ନ ସ୍କୁଲ୍‌ରେ ବିଭିନ୍ନ ପ୍ରକାରର ନିୟମ ରହିଥାଏ। କିନ୍ତୁ ଛାତଛାତ୍ରୀଙ୍କ ଅନ୍ତଃବସ୍ତ୍ରର ରଙ୍ଗକୁ ନେଇ କୌଣସି ସ୍କୁଲ୍‌ କେବେ ନିୟମ କରିଥିବା କଥା ଆପଣ ଶୁଣିଛନ୍ତି କି? ମହାରାଷ୍ଟ୍ରର ପୁନେ ସ୍ଥିତ ଏକ ସ୍କୁଲ୍‌ ଏବେ ଏଭଳି ଏକ ନିୟମ ଜାରି କରିଛି। ଛାତ୍ରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ଆସିବାକୁ କୁହାଯାଇଛି। ସ୍କୁଲ ପକ୍ଷରୁ ଏ ନିର୍ଦ୍ଦେଶ ଜାରି କରାଯିବା ପରେ ବିବାଦ ଦେଖାଯାଇଛି। ଅଭିଭାବକ ଓ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି।

school

ପୁନେର ‘ଏମ୍‌ଆଇଟି ବିଶ୍ୱଶାନ୍ତି ଗୁରୁକୁଳ ସ୍କୁଲ୍‌’ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଝିଅମାନଙ୍କୁ ଧଳା ତଥା ଘିଅ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ଆସିବାକୁ କୁହାଯାଇଛି। କେବଳ ଏତିକି ନୁହେଁ, ଝିଅମାନେ କେତେ ଲମ୍ବର ସ୍କଟ୍ ପିନ୍ଧିବେ ତାହା ବି ସ୍କୁଲ୍ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଛନ୍ତି। ଯେଉଁମାନେ ଏ ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜଣେ ଅଭିଭାବକ କହିଛନ୍ତି ଅନ୍ତଃବସ୍ତ୍ରର ରଙ୍ଗ ଏବଂ ସ୍କଟ୍‌ର ଲମ୍ବ କଥାର ଝିଅମାନଙ୍କ ସ୍କୁଲ୍‌ ଡାଏରୀରେ ଉଲ୍ଲେଖ କରାଯାଇଛି ଏବଂ ଏଥିରେ ଅଭିଭାବକମାନଙ୍କୁ ଦସ୍ତଖତ କରିବା ପାଇଁ କୁହାଯାଇଛି।

ସେହିପରି ପୁନେର ଅନ୍ୟ ଏକ ସ୍କୁଲ୍‌ରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ନିୟମ କରାଯାଇଛି। ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟରେ ଛାତ୍ରଛାତ୍ରୀଙ୍କୁ ଶୌଚାଳୟ ବ୍ୟବହାର କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହି ନିୟମକୁ ବିରୋଧ କରିଛନ୍ତି। ସ୍କୁଲ୍ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ପୁନେ ନଗର ନିଗମ ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି।