ଆଜି ଅବସର ନେବ ଆଇଏନ୍‌ଏସ୍‌ ବିରାଟ

ନୂଆଦିଲ୍ଲୀ: ୩୦ ବର୍ଷ ଧରି ଭାରତୀୟ ନୌସେନାରେ ନିୟୋଜିତ ହୋଇଥିବା ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ବିରାଟ ଆଜି କାର୍ଯ୍ୟରୁ ଅବସର ନେବ।

ଆଇଏନ୍‌ଏସ୍‌ ବିରାଟ ନୌସେନାର ପ୍ରମୁଖ ଯୁଦ୍ଧବିମାନ ବାହକ ଭାବେ କାର୍ଯ୍ୟ କରି ଆସୁଥିଲା। ଏଭଳି ସେବାରେ ନିୟୋଜିତ ହେବାରେ ସବୁଠୁ ପୁରୁଣା ଜାହାଜ ଭାବେ ଆଇଏନ୍‌ଏସ୍‌ ବିରାଟ ନାଁରେ ଗିନିଜ୍‌ ରେକର୍ଡ ମଧ୍ୟ ରହିଛି। ୧୯୮୭ ମସିହା ମେ’ ୧୨ ତାରିଖରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା।

ଆଇଏନ୍‌ଏସ୍‌ ବିରାଟ ‘ଗ୍ରାଣ୍ଡ୍ ଓଲ୍ଡ ଲେଡି’ ଭାବେ ଜଣାଶୁଣା। ଏହା ପ୍ରଥମେ ବ୍ରିଟିଶ ରୋୟାଲ୍ ନାଭିରେ ନିୟୋଜିତ ହୋଇଥିଲା। ୧୯୫୯ ମସିହାରୁ ଏହା ବ୍ରିଟିଶ ନୌସନାର ସେବା କରି ଆସୁଥିଲା। ଭାରତ ସରକାର ୧୯୮୭ରେ ଏହାକୁ ୬.୫ କୋଟି ଟଙ୍କା ଦେଇ କିଣି ଥିଲେ।

ଆଇଏନ୍‌ଏସ୍‌ ବିରାଟର ନୀତିବାକ୍ୟ ଥିଲା- ‘ଜଳମେବ ଯଶ୍ୟ, ବଳମେଭ ତସ୍ୟ’ ଅର୍ଥାତ୍ ଯିଏ ସମୁଦ୍ରକୁ ନିୟମନ୍ତ୍ରଣ କରେ ସେ ସର୍ବଶକ୍ତିମାନ।

ଆଇଏନ୍‌ଏସ୍‌ ଥିଲା ‘ହ୍ୱାଇଟ୍‌ ଟାଇଗର୍ସ’-ଦ ସି ହାରିୟରର୍ସ ଅଫ୍ ଆଇଏନ୍‌ଏଏସ୍‌ ୩୦୦, ଆଣ୍ଟି-ସବ୍‌ମାରାଇନ୍‌ ଏୟାରକ୍ରାଫ୍ଟ ସି’ କିଙ୍ଗ୍‌ ଏମ୍‌କେ୪୨ବି, ସି କିଙ୍ଗ୍‌ ଏମ୍‌କେ୪୨ସି ଅବା ହାର୍‌ପୁନ୍ସ, ଏସ୍‌ଏଆର୍‌ ହେଲିକପ୍ଟର ଚେତନ, ଏଏଲ୍‌ଏଚ୍‌ ଧ୍ରୁବ ଓ କାମୋଭ-୩୧ ଭଳି ଯୁଦ୍ଧ ବିମାନର ବାହକ ଥିଲା।

୧୯୮୯ରେ ଶ୍ରୀଲଙ୍କାରେ ଶାନ୍ତି ସ୍ଥାପନ ପାଇଁ ହୋଇଥିବା ଅଭିଯାନ ‘ଅପରେସନ୍ ଜୁପିଟର’ରେ ଆଇଏନ୍‌ଏସ୍‌ ବିରାଟ ପ୍ରମୁଖ ଭୂମିକା ନେଇଥିଲା।

ଆଇଏନ୍‌ଏସ୍‌ର ଲମ୍ବ ୨୨୬.୫ ମିଟର ହୋଇଥିବା ବେଳେ ଓସାର ହେଉଛି ୪୮ ମିଟର।

ଅବସର ପରେ ଏହି ଯୁଦ୍ଧଜାହାଜର କ’ଣ କରାଯିବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ଏହାକୁ ଏକ ମ୍ୟୁଜିୟମରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ।

ବର୍ତ୍ତମାନ ଆଇଏନ୍‌ଏସ୍ ବିକ୍ରମାଦିତ୍ୟ ଭାରତୀୟ ନୌସେନାର ଏକମାତ୍ର ଯୁଦ୍ଧବିମାନ ବାହକ ଯୁଦ୍ଧ ଜାହାଜ ଭାବେ କାର୍ଯ୍ୟରତ। ଦ୍ୱିତୀୟ ଯୁଦ୍ଧବିମାନ ବାହକ ଯୁଦ୍ଧ ଜାହାଜ ବିକ୍ରାନ୍ତର ନିର୍ମାଣ କାର୍ଯ୍ୟ ଚାଲିଛି।