ରହସ୍ୟ ଭିତରେ ରହସ୍ୟ: ଇନ୍ଦ୍ରାଣୀ ମୂଖାର୍ଜୀଙ୍କୁ ଜେଲ୍ ପଠାଇଥିବା ଇନ୍ସପେକ୍ଟରଙ୍କ ପତ୍ନୀଙ୍କୁ ହତ୍ୟା, ପୁଅ ନିଖୋଜ

ନୂଆଦିଲ୍ଲୀ: ଶୀନା ବୋରା ହତ୍ୟାକାଣ୍ଡର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍‌ର ଜଣେ ଇନ୍‌ସପେକ୍ଟରଙ୍କ ପତ୍ନୀଙ୍କୁ ଆଜି ସକାଳେ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ପରେ ତାଙ୍କ ପୁଅ ଓ ଅନ୍ୟ ଜଣେ ସଂପର୍କୀୟ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମୋବାଇଲ୍ ଫୋନ୍‌ ବି ସୁଇଚ୍ ଅଫ୍ ଅଛି।

ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ ମୁମ୍ବାଇ ପୋଲିସ୍‌ର ଏହି ଇନ୍‌ସପେକ୍ଟର ସାନ୍ତାକ୍ରୁଜ୍‌ ୱେଷ୍ଟ୍ ଅଞ୍ଚଳରେ ରହନ୍ତି। ତାଙ୍କ ନାଁ ଗଣେଶ୍ୱର ଗାନାର। ଆଜି ସକାଳେ ତାଙ୍କ ଘରୁ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଇନ୍‌ସପେକ୍ଟରଙ୍କ ତଦନ୍ତ ଆଧାରରେ ହିଁ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ଇନ୍ଦ୍ରାଣୀ ମୂଖାର୍ଜୀଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟା ମାମଲାର ତଦନ୍ତ ଏବେ ସିବିଆଇ କରୁଛି। ୨୦୧୨ରେ ଶୀନାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଶବକୁ ଜଙ୍ଗଲରେ ପୋତି ଦେବାକୁ ଚେଷ୍ଟା କରାଯାଇଥିଲା। ଏହି ମାମଲାରେ ତାଙ୍କ ମା’ ଇନ୍ଦ୍ରାଣୀ ମୂଖାର୍ଜୀ, ତାଙ୍କ ସ୍ୱାମୀ ତଥା ପୂର୍ବତନ ମିଡିଆ ଜାଏଣ୍ଟ ପିଟର ମୂଖାର୍ଜୀ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି।