ଇଣ୍ଟରନେଟ୍‌ରେ ବଢୁଛି ଆଂଚଳିକ ଭାଷାର ଚାହିଦା:୨୦୨୧ରେ ଲଗ୍‌ ଇନ୍‌ କରିବେ ୫୩.୬କୋଟି ୟୁଜର୍ସ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର। ୨୦୨୧ରେ ୫୩.୬ କୋଟି ଲୋକ ଅନ୍‌ଲାଇନ୍‌ରେ ରହିବା ସମୟରେ ଆଞ୍ଚଳିକ ଭାଷାକୁ ବ୍ୟବହାର କରିପାରିବେ।  ଦିନକୁ ଦିନ ମୋବାଇଲ୍‌ ଫୋନ୍ ଓ ଡାଟା ପ୍ୟାକ୍‌ର ମୂଲ୍ୟ ହ୍ରାସ ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଉଥିବା ଜଣାପଡିଛି। ଗୁଗୁଲ୍‌-କେଏମ୍‌ଜି ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ଏହି ରିପୋର୍ଟ ଅନୁସାରେ  ହିନ୍ଦୀ ଇଣ୍ଟରନେଟ୍‌ ୟୁଜର୍ସଙ୍କ ସଂଖ୍ୟା ୨୦୨୧ ଭିତରେ ଇଂରାଜୀ  ୟୁଜର୍ସଙ୍କଠାରୁ ଅଧିକ ହେବାର ଆଶଙ୍କା ରହିଛି। ଏହାର ସଂଖ୍ୟା ୧୯.୯ କୋଟିକୁ ଛୁଇଁପାରେ। ଆଶା କରାଯାଉଛି ଏହି ସମୟ ମଧ୍ୟରେ ୭୩.୫ କୋଟି ଲୋକ ଇଣ୍ଟରନେଟ୍‌ ୟୁଜର୍ସ ହେବେ। ସେମାନଙ୍କ ସଂଖ୍ୟା  ୨୦୧୬ରେ ୪୦.୯ କୋଟି ଥିଲା।

ହିନ୍ଦୀ ଭାଷାରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବହୁ ସଂଖ୍ୟାର ଲୋକେ ସରକାରୀ ଚାକିରୀ, କ୍ଲାସିଫାଏଡେ ଓ ନ୍ୟୁଜ୍‌କୁ ଅଧିକ ଧ୍ୟାନ ଦେଇ ଥାଆନ୍ତି। ଏହା ବ୍ୟତୀତ ଅନ୍‌ଲାଇନ୍‌ ପେମେଣ୍ଟ ମଧ୍ୟ କରିଥାଆନ୍ତି।

୨୦୧୬ରେ  ଭାରତୀୟ ଭାଷାରେ ଇଣ୍ଟରନେଟ୍‌ ବ୍ୟହାର କରୁଥିବା ୟୁଜର୍ସଙ୍କ ସଂଖ୍ୟା  ୨୩.୪ କୋଟି ଥିଲା ବେଳେ ଇଂରାଜୀ ୟୁଜର୍ସଙ୍କ ସଂଖ୍ୟା ୧୭.୭ କୋଟି ଥିଲା। ହିନ୍ଦୀ ବ୍ୟତୀତ ମରାଠି, ବଙ୍ଗଳା, ତାମିଲ୍‌, କନ୍ନଡ ଓ ତେଲୁଗୁ ୟୁଜର୍ସଙ୍କ ସଂଖ୍ୟା ଖୁବ୍‌ଶୀଘ୍ର ବଢିବାର ସମ୍ଭାବନା ରହିଛି।