ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର   

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପେଟ୍ରୋଲ ପମ୍ପରେ  ବ୍ୟାପକ ଠକେଇ ଅଭିଯୋଗ ଆସିବା ପରେ ସରକାରଙ୍କ ନିଦ ଭାଙ୍ଗିଛି। ପେଟ୍ରୋଲ ପମ୍ପ ଗୁଡ଼ିକୁ ଯାଞ୍ଚ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।  ଏଣିକି ନିୟମିତ ଭାବେ ସବୁ ପେଟ୍ରୋଲ ପମ୍ପ ଗୁଡ଼ିକ ଯାଞ୍ଚ ହେବ।  ଉତ୍ତରପ୍ରଦେଶ ସମେତ ସବୁ ରାଜ୍ୟରେ ଥିବା ପେଟ୍ରୋଲ ପମ୍ପରେ ଏହି ଯାଞ୍ଚ ହେବ। ଏନେଇ କେନ୍ଦ୍ରମନ୍ତ୍ରୀ ସୂଚନା ମଧ୍ୟ ଦେଇଛନ୍ତି  ।

ଯାଞ୍ଚ ବେଳେ  ଅନିୟମିତତା ଧରାପଡ଼ିଲରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଚଳିତ ସପ୍ତାହରେ ୟୁପିର ଲକ୍ଷ୍ନୌରେ ଏସ୍‌ଟିଏଫ୍‌ ଚଢ଼ାଉ କରି ୭ଟି ପେଟ୍ରୋଲ ପମ୍ପରୁ ଇଲେକ୍ଟ୍ରୋନିକ୍ସ ଚିପ୍‌ ଜବତ କରିବା ସହ ସମ୍ପୃକ୍ତ ପେଟ୍ରୋଲ ପମ୍ପଗୁଡିକୁ ସିଲ୍‌  କରାଯାଇଥିଲା । ଏହି ଚିପ୍‌ ମାଧ୍ୟମରେ  ପେଟ୍ରୋଲ ପମ୍ପ ଗୁଡିକରୁ ୬ପ୍ରତିଶତ ତେଲ କମ ବାହାରି ଥାଏ। ଏହି ଚିପ୍‌ ରିମୋଟ୍‌ ଦ୍ୱାରା ପରିଚାଳିତ ହୋଇଥାଏ। ଯେଉଁଥିପାଇଁ ପେଟ୍ରୋଲ ପମ୍ପ ମାଲିକମାନେ  ପ୍ରତିମାସରେ ୧୪ଲକ୍ଷରୁ ଅଧିକ ଟଙ୍କା ଲାଭ କରିଥାନ୍ତି ବୋଲି ଜଣାପଡ଼ିଥିଲା।