ଆଇଏନ୍‌ଏକ୍ସ ମାମଲା: କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଅନ୍ତରୀଣ ସୁରକ୍ଷା ଉପରେ ରହିତାଦେଶ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏତଲା ହୋଇ ନଥିବା ଅନ୍ୟ ମାମଲାରେ ତାଙ୍କୁ ଫସାଇବାକୁ  ଇଡି ଓ ସିବିଆଇ ଚେଷ୍ଟା କରୁଥିବା ଅଭିଯୋଗର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। INX ମାମଲାରେ କାର୍ତ୍ତିଙ୍କ ନାଁରେ ଏତଲା ହୋଇଛି ଓ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି। କେବଳ ଏହି ମାମଲାରେ ହିଁ ତାଙ୍କୁ ପଚରା ଉଚରା କରାଯିବା ଉଚିତ ତାହା ନ କରି ଅନ୍ୟ ମାମଲାରେ ମଧ୍ୟ ପଚରା ଉଚରା କରାଯାଉଛି ଓ ସେହି ସବୁ ମାମଲାରେ ଅଯଥାରେ ତାଙ୍କୁ ଜଡ଼ିତ କରାଯାଉଥିବା ଅଭିଯୋଗ କରି କାର୍ତ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୮ରେ ହେବ। ଅନ୍ୟପକ୍ଷରେ କାର୍ତ୍ତିଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। INX ମାମଲାରେ ସଂପୃକ୍ତି ଅଭିଯୋଗରେ ଗତ ସପ୍ତାହରେ କାର୍ତ୍ତିଙ୍କୁ ସିବିଆଇ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଥିଲା।