ଆଇପିଏସ୍ ଅଫିସରଙ୍କୁ ପିଟିଲେ ଥାନା ଅଧିକାରୀ

ଲକ୍ଷ୍ନୌ: ଥାନାରେ ଦୁଇ ଜଣ ଆଇପିଏସ୍ ଅଫିସରଙ୍କୁ ଆକ୍ରମଣ। ପୁଣି କୌଣସି ଅପରାଧୀ ଅବା ସାଧାରଣ ଲୋକ ଏହି ଆକ୍ରମଣ କରି ନାହାନ୍ତି। ଖୋଦ୍ ଥାନା ଅଧିକାରୀ ଓ ଜଣେ କନଷ୍ଟେବଳ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।  ଏଥିରେ ଜଣେ ଆଇପିଏସ୍ ଅଫିସର ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ। ଆହତ ଆଇପିଏସ୍ ଅଫିସରଙ୍କ ନାଁ ହିମାଂଶୁ କୁମାର। ଆକ୍ରମଣ କରିଥିବା ଅଭିଯୁକ୍ତ ଥାନା ଅଧିକାରୀ ବିବେକ ପ୍ରତାପ ସିଂହ ଓ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଏହି ଘଟଣାରେ ଏହି ଦୁଇ ପୋଲିସ୍ କର୍ମଚାରୀଙ୍କ ସମେତ ମୋଟ ୪ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

କାହିଁକି ପିଟିଲେ?

ଏହି ଘଟଣା ସଂପର୍କରେ ସୂଚନା ଦେଇ ବାନ୍ଦା ଏସ୍‌ପି ଶାଲିନୀ କହିଛନ୍ତି,“ଗିରୱା ଥାନାରେ ଏ ଘଟଣା ଘଟିଛି। ଉକ୍ତ ଥାନାର କର୍ମଚାରୀମାନେ ବାଲି ବୋଝେଇ ଟ୍ରକ୍‌ଗୁଡ଼ିକଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଫିସର ହିମାଂଶୁ କୁମାର ଓ ମୋହିତ ଗୁପ୍ତା ଗତକାଲି ଥାନାକୁ ଯାଇଥିଲେ। ସେମାନେ ସେଠାରେ ପହଞ୍ଚିବା ପରେ ଦେଖିଲେ ଯେ ଥାନା ଅଧିକାରୀ ବିବେକ ପ୍ରତାପ ସିଂହ ଓ ଜଣେ କନଷ୍ଟେବଳ ବାଲି ବୋଝେଇ ଟ୍ରକଗୁଡ଼ିକଠାରୁ ଅର୍ଥ ଆଦାୟ କରୁଛନ୍ତି। ଧରା ପଡ଼ିଯିବା ପରେ ସେମାନେ ଏହି ଦୁଇ ଆଇପିଏସ୍ ଅଫିସରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ହିମାଂଶୁ କୁମାର ଆହତ ହୋଇଛନ୍ତି।”