ଆଇଏମଏ ଚିଟ୍‌ଫଣ୍ଡ ସ୍କାମ: ଇଡି ସ୍କାନରରେ ୯ ଆଇପିଏସ୍‌ ଓ ରାଜନେତା

ହାଇଦ୍ରାବାଦ୍‌: ଲୋଭନୀୟ ଅଫର ଦେଇ ୩୦ ହଜାର ଲୋକଙ୍କ ଠାରୁ ୩ ହଜାର କୋଟି ଲୁଟିଥିବା ଆଇଏମଏ ଚିଟ୍‌ଫଣ୍ଡ ଦୁର୍ନୀତିରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବେ ଚିଟ୍‌ଫଣ୍ଡ ସ୍କାମରେ ସାମିଲ ଥିବା କର୍ଣ୍ଣାଟକାର ୯ ଆଇପିଏସ୍‌ ଅଫିସର ଓ ବରିଷ୍ଠ ରାଜନେତାଙ୍କ ଉପରେ ପଞ୍ଝା କଷିବାକୁ ଯୋଜନା କରୁଛି। ଏହି ଅଧିକାରୀ ଓ ରାଜନେତାମାନେ ଆଇଏମ୍‌ଏର ବେଆଇନ୍‌ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିଲେ।

ଏଥିସହ ଚିଟ୍‌ଫଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ପୁଲିସ ବଡ଼ବାବୁ ଓ ନେତା ବିପୁଳ ପରିମାଣର ଟଙ୍କାର ଲାଞ୍ଚ ନେଇଥିବା ଇଡି ଜାଣିବାକୁ ପାଇଛି। ଇଡି ଆଇଏମଏ ସଂସ୍କାର ମୁଖ୍ୟ ଖଳନାୟକ ମହମ୍ମଦ ମନସୁର ଖାନ୍‌ଙ୍କୁ ଗିରଫ କରିଛି। ତାଙ୍କୁ ଜେରା ବେଳେ ଇଡି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଜଣାପଡ଼ିଛି।

ଉତ୍ତର ପ୍ରଦେଶ କ୍ୟାଡରର ଜଣେ ଆଇପିଏସ ଯିଏ କର୍ଣ୍ଣାଟକାରେ କାର୍ଯ୍ୟ କରୁଥିଲେ, ସେ ଆଇଏମଏ ଠାରୁ ବେଶ ବଡ଼ ପରିମାଣର ଲାଞ୍ଚ ନେଇଥିବା ଜଣାପଡ଼ିଛି। ଏହାବାଦ୍‌ କ୍ଷମତାରେ ଥିବା ବହୁ ବରିଷ୍ଠ ରାଜନେତା ମଧ୍ୟ ଏଥିରେ ସାମିଲ ଥିବା ଇଡି ସୂତ୍ରରୁ ଜଣାପଡ଼ିଛି।