ଜମ୍ମୁ-କାଶ୍ମୀରକୁ ଥରହର କରୁଛନ୍ତି ଓଡ଼ିଆ ଆଇପିଏସ୍‌ ବସନ୍ତ

ଜମ୍ମୁକାଶ୍ମୀର: ଓଡ଼ିଆ ପୁଅ ଆଇଜି ବସନ୍ତ ରଥଙ୍କ ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟ ଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ଉପରେ ବିଗିଡ଼ିଛନ୍ତି ଜମ୍ମୁ-କାଶ୍ମୀରର ପୋଲିସ୍‌ ମୁଖ୍ୟ। ଜମ୍ମୁ-କାଶ୍ମୀରର ଡିଜିପି ଏସ୍‌ପି ବୈଦ୍‌ ଏନେଇ ଆଇଜି ବସନ୍ତ ରଥଙ୍କ ପାଖକୁ ଏକ ଚେତାବନୀମୂଳକ ଚିଠି ଲେଖିଛନ୍ତି। ଯେଉଁଥିରେ ଭବିଷ୍ୟତରେ ଏଭଳି କାର୍ଯ୍ୟ ନ କରିବାକୁ ଉପଦେଶ ଦେଇଛନ୍ତି ଡିଜିପି। ଡିଜିପିଙ୍କ ଏହି ଚିଠି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ଗତ ୧୫ ଦିନ ତଳେ ଜମ୍ମୁ-କାଶ୍ମୀର୍‌ର ଟ୍ରାଫିକ୍ ଆଇଜି ଭାବରେ ନିଯୁକ୍ତ ହୋଇଥିଲେ ଓଡ଼ିଆ ପୁଅ ବସନ୍ତ ରଥ।

ସେ ଚିଠିରେ ଲେଖିଛନ୍ତି ଯେ ବସନ୍ତ ସବୁବେଳେ ବିନା ୟୁନିଫର୍ମରେ ରାସ୍ତାରେ ବୁଲୁଛନ୍ତି, ଓ ତାଙ୍କ କାର୍ଯ୍ୟ ଶୈଳୀ ଠିକ୍‌ ଲାଗୁ ନାହିଁ। ଏସବୁ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଘୁରି ବୁଲିଛି। ଏଭଳି ଘଟଣା ତାଙ୍କ ଭଳି ଜଣେ ପୋଲିସ୍‌ ଅଫିସରଙ୍କୁ ଶୋଭା ଦେଉ ନାହିଁ। ସୋସିଆଲ୍‌ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ବସନ୍ତ ଯାତ୍ରୀମାନଙ୍କ ସହିତ ଅଶାଳୀନ ଭାଷା ପ୍ରୟୋଗ କରୁଥିବାର କୁହାଯାଇଛି। ଏଥିସହିତ ସେମାନଙ୍କର ଜିନିଷପତ୍ର ଯଥା-ମୋବାଇଲ୍‌, ହେଲମେଟ୍ ଓ ଚଷମା ଆଦିକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଭିଡିଓରେ ଦର୍ଶାଯାଇଛି। ଏହାକୁ ନେଇ ଡିଜିପି ଏସ୍‌ପି ବୈଦ୍ ଜମ୍ମୁ-କାଶ୍ମୀରର ଟ୍ରାଫିକ୍‌ ଆଇଜି ବସନ୍ତ ରଥଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

ଗତ ଫେବୃଆରିରେ ୯ ତାରିଖରେ ବସନ୍ତ ରଥ ଜମ୍ମୁ-କାଶ୍ମୀରରେ ଟ୍ରାଫିକ୍‌ ଆଇଜି ଭାବରେ ନିଯୁକ୍ତ ହୋଇଥିଲେ। ଦାୟିତ୍ୱ ସମ୍ଭାଳିବା ପରେ ବସନ୍ତ ପୂରା ଆକ୍ମସନ୍‌ ମୋଡ୍‌ରେ ଅଛନ୍ତି। ଏମିତିକି ସେ ନିଜେ ରାସ୍ତାକୁ ଓହ୍ଲାଇ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ। ଥରେ ଏକ ପୋଲିସ୍‌ ଗାଡ଼ି ବିନା ନମ୍ବର ପ୍ଲେଟ୍‌ରେ ଚାଲୁଥିବାରୁ ରଥ ସେହି ଗାଡ଼ିକୁ ସିଜ୍‌ କରିବା ସହିତ ଜରିମାନା ମଧ୍ୟ ଲଗାଇଥିଲେ। ଯେଉଁ ପୋଲିସ୍‌ କର୍ମୀମାନେ ଭଲ କାର୍ଯ୍ୟ କରୁଥିଲେ ସେମାନଙ୍କୁ ପ୍ରଶଂସା କରୁଥିଲେ ରଥ। ପିଲାମାନଙ୍କୁ ଚକୋଲେଟ୍‌ ବାଣ୍ଟି ଟ୍ରାଫିକ୍‌ର ନିୟମ ମଧ୍ୟ ଶିଖାଉଥିଲେ। ତାଙ୍କର ଏହି ଭିନ୍ନ ଧରଣର କାର୍ଯ୍ୟ ଶୈଳୀକୁ ଲୋକେ ଫଟୋ ଓ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ। ଅନେକ ଲୋକ ତାଙ୍କୁ ସିଂଘମ ଓ ଦବଙ୍ଗ ସହିତ ତୁଳନା ମଧ୍ୟ କରୁଥିଲେ। ତାଙ୍କ ସପକ୍ଷରେ ନାରାବାଜି ମଧ୍ୟ କରୁଥିଲେ।

Aditya Kar यांनी वर पोस्ट केले सोमवार, २६ फेब्रुवारी, २०१८