ଇକବାଲ ମିର୍ଚିର ସହଯୋଗୀ ମରଚାଣ୍ଟ ଗିରଫ

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ତଥା ଦାଉଦର ସହଯୋଗୀ ଇକବାଲ ମିର୍ଚିର ଅନ୍ୟତମ ସାଥୀ ହୁମାୟୁନ ମରଚାଣ୍ଟକୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛନ୍ତି।

ଇକବାଲ ମିର୍ଚିର ସମସ୍ତ ସମ୍ପତ୍ତିର ପାୱାର ଅଫ୍‌ ଆଟୋର୍ଣ୍ଣି ମରଚାଣ୍ଟ ପାଖରେ ହିଁ ଥିଲା। ଭାରତରେ ଇକବାଲ ମିର୍ଚିର ଏକାଧିକ ସମ୍ପତ୍ତି ରହିଛି। ସେହିପରି ଲଣ୍ଡନ ଓ ୟୁଏଇରେ ବି ତା’ ନାଁରେ ୨୫ଟି ସ୍ଥାନରେ ବିଭିନ୍ନ ପ୍ରକାରର ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଏହି ସମ୍ପତ୍ତି ଗୁଡ଼ିକ ମଧ୍ୟରେ ମୁମ୍ବାଇର ସିଜୟ ହାଉସରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା ରହିଛି।

ଏହି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡି ଜେରା ମଧ୍ୟ କରିଥିଲା। ଏବେ ମରଚାଣ୍ଟ ଗିରଫ ହେବା ଏହି ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ଇଡି ଏବେ ମରଚାଣ୍ଟକୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଯୋଜନା କରିଛି। ଏହି ସମୟରେ ତା’ ପାଖରୁ ଅନେକ ତଥ୍ୟ ହାସଲ କରାଯାଇ ପାରିବ ବୋଲି ଇଡି ଆଶା ରଖିଛି।