ଇରାନଠୁ ଭାରତ ତେଲ ଆଣିବ କି ନାହିଁ ନିଷ୍ପତ୍ତି ମେ’ ୨୩ ପରେ

ଦେଶରେ ଏବେ ନିର୍ବାଚନ ଚାଲିଛି, ତେଣୁ ଆଚରଣ ବିଧି ଲାଗୁ ହୋଇଛି। ଅନେକ କ୍ଷେତ୍ରରେ ସରକାର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିୟମ ରହିଛି। ତେଣୁ ଭାରତ ଇରାନ ପାଖରୁ ତେଲ ଆମଦାନୀ କରିବ କି ନାହିଁ ପରବର୍ତ୍ତୀ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ଇରାନ ପାଖରୁ ତେଲ ଆମଦାନୀ କରିବ କି ନାହିଁ ଭାରତ ନିଷ୍ପତ୍ତି ନେବ। ଗତକାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫଙ୍କ ସହ କରିଥିବା ଦ୍ୱିପାକ୍ଷିକ ଆଲୋଚନାରେ ଏହି ନିର୍ଯାସ ବାହାରିଥିବା ଜଣାପଡ଼ିଛି।

ଗତବର୍ଷ ମେ ମାସରେ ଆମେରିକା ଇରାନ ପାଖରୁ ଭାରତ ସହିତ ୭ଟି ଅନ୍ୟ ଦେଶ ଅଶୋଧିତ ତେଲ କଣିବା ଉପରେ ରୋକ ଲଗାଇଥିଲା। ଏହାର ଅବଧି ମେ ୨ରେ ଶେଷ ହେବା ପରେ ପୁଣି ୬ ମାସ ପାଇଁ ପ୍ରତିବନ୍ଧକ ଅବଧି ବଢାଇଛି ଆମେରିକା। ତେବେ ଆର୍ଥିକ ପ୍ରତିବନ୍ଧକରୁ ବଞ୍ଚିବା ପାଇଁ ନଭେମ୍ୱର ୪ ତାରିଖ ଯାଏଁ ଆମେରିକା ଭାରତ ସମେତ ୮ଟି ଦେଶକୁ ତୈଳ ଆମଦାନୀ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଟ୍ରମ୍ପ ସରକାର ତେଲ ଉପରେ ପ୍ରତିବନ୍ଧକ ଅବଧି ବଢ଼ାଇବାର ୧୨ ଦିନ ପରେ ଭାରତ ଓ ଇରାନ ମଧ୍ୟରେ ଏହି ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ମୁଖ୍ୟତଃ ଶକ୍ତି, ଆର୍ଥିକ ସୁରକ୍ଷା ଓ ବ୍ୟବସାୟିକ ଆବଶ୍ୟକତା ଉପରେ ଆଲୋଚନା ହୋଇଥିବା ବୈଦେଶିକ ସଚିବ ରବିଶ କୁମାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତକୁ ତୈଳ ଦେବାରେ ଇରାକ, ସାଉଦି ଆରବିଆ ପରେ ଇରାନ ହେଉଛି ତୃତୀୟ ବଡ ଦେଶ। ଭାରତ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଆଉ ଇରାନଠାରୁ ନିଜ ଆବଶ୍ୟକତାର ୧୦ ପ୍ରତିଶତ ତୈଳ ଆଣିଥାଏ।