ପଥର ହୃଦୟରେ ପ୍ରେମର ସ୍ପର୍ଶ: ଲୌହ ମାନବୀ ଶର୍ମିଲାଙ୍କ ଘରେ ବାଜିବ ସାହାନାଇ

ଇମ୍ଫାଲ:ବାହା ହେବେ ଲୌହ ମାନବୀ। ହାତ ଗଣ୍ଠିପଡ଼ିବ।  ସାହାନାଇ ବାଜିବ। ବିଶିଷ୍ଟ ସମାଜସେବୀ  ଇରମ୍‌ ଶର୍ମିଲା ହାତରୁ ଦିହାତ ହେବେ । ଜୁଲାଇରେ ତାଙ୍କ ବ୍ରିଟିସ ପାର୍ଟନର ଡେସମଣ୍ଡ କୋଟିନ୍‌ହୋଙ୍କ ସହ ବିବାହ ହେବ।  ତେବେ ଏନେଇ ତାରିଖ ଧାର୍ଯ୍ୟ  ହୋଇ ନ ଥିବା ବେଳେ ତାମିଲନାଡ଼ୁରେ ବିବାହ ଉତ୍ସବ ଆୟୋଜନ ହେବ ବୋଲି ନିଜେ ଶର୍ମିଲା କହିଛନ୍ତି।  ଆର୍ମଡ ଫୋର୍ସେସ ସ୍ପେସିଆଲ ପାୱାର ଆକ୍ଟ(ଆଫସ୍ପା) ବିରୋଧରେ ୧୬ ବର୍ଷ ଧରି ଆମରଣ ଅନଶନ କରିବା ପରେ ରାଜନୀତିରେ ପାଦ ଥାପିଥିଲେ ଶର୍ମିଲା।

ଗତ ମଣିପୁର ବିଧାନସଭା ନିର୍ବାଚନରେ  ଇରମ୍‌ ଏକ ରାଜନୈତିକ ଦଳ ଗଠନ କରିଥିଲେ। ପିପୁଲ ରିସର୍ଜେନ୍ସି ଆଣ୍ଡ ଜଷ୍ଟିସ ଆଲାଏନ୍ସ ( ପ୍ରଜା) ନାମରେ ଏକ ଦଳ ଗଠନ କରିଥିଲେ ସେ । ମଣିପୁର ଥୋବଲ ବିଧାନସଭା ଆସନରୁ  ଇରମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  କଂଗ୍ରେସର ହେବିୱେଟ ନେତା ଓକ୍‌ରାମ ଇବୋଇଙ୍କ ବିରୋଧରେ  ପ୍ରତିଦ୍ୱନ୍ଦିତା କରି ହାରିଯାଇଥିଲେ। ଇରମ ମାତ୍ର ୯୦ ଭୋଟ ପାଇଥିଲେ।  ଏହି ଫଳାଫଳ ଆସିବା ପରେ ଇରମ  ଆଉ ନିର୍ବାଚନ ଲଢିବେ ନାହିଁ ଘୋଷଣା କରିଥିଲେ। ହେଲେ ସାଧାରଣ ଲୋକଙ୍କ ଅଧିକାର ପାଇଁ ସେ ଲଢେଇ ଜାରି ରଖିବେ ବୋଲି କହିଥିଲେ।  ସେ ସମୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଇରମ । କହିଥିଲେ ବିବାହ ପରେ ସେ ବସିଯିବେ ନାହିଁ। ଦେଶରେ ଥିବା ବିଭିନ୍ନ ଜନବିରୋଧୀ ଆଇନକୁ ହଟାଇବା ପାଇଁ ସେ ନିରନ୍ତର ଆନ୍ଦୋଳନ ଜାରି ରଖିବେ ବୋଲି କହିଥିଲେ।  ସୂଚନା ଯୋଗ୍ୟ ଯେ, ଶର୍ମିଲାଙ୍କ ଲାଇଫପାର୍ଟନର ହେବାକୁ ଯାଉଥିବା ଡେସମଣ୍ଡ କୋଟିନ୍‌ହୋ ହେଉଛନ୍ତି  ଜଣେ ପ୍ରବାସୀ ଭାରତୀୟ। ଡେସମଣ୍ଡଙ୍କ ପ୍ରକୃତ ଘର ଗୋଆରେ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ବ୍ରିଟିସ ନାଗରିକତ୍ୱ ଗ୍ରହଣ କରିଥିଲେ।