ଆଇଏସଆଇରେ ଯୋଗ ଦେବାକୁ ବିହାରର ଜଣେ ଛାତ୍ରଙ୍କୁ ପ୍ରସ୍ତାବ

ପାଟନା: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇରେ ଯୋଗ ଦେବାକୁ ବିହାରର ଜଣେ କଲେଜ ଛାତ୍ରଙ୍କ ନିକଟକୁ ଫୋନ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ର ଜଣଙ୍କ। ତାଙ୍କ ନାଁ ମୁକେଶ କୁମାର। ସେ କହିଛନ୍ତି ଯେ ଗତକାଲି ତାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା ଓ ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ ଆଇଏସଆଇରେ ଯୋଗ ଦେବାକୁ କହିଥିଲା। ଆଇଏସଆଇର ଯୋଗ ଦେଲେ ଭଲ ଟଙ୍କା ମଧ୍ୟ ଦିଆଯିବାକୁ ସେ ପ୍ରସ୍ତାବ ଦେଇଥିଲା। ତେବେ ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।  ଉକ୍ତ ପାକିସ୍ତାନୀ ନମ୍ବରରୁ ତାଙ୍କ ପାଖକୁ ଦୁଇ ଥର କଲ୍ ଆସିଥିଲା। ପ୍ରଥମ କଲଟିକୁ ସେ ଏଡ଼ାଇ ଯାଇଥିଲେ। କିନ୍ତୁ ଦ୍ୱିତୀୟ ଥର କଲ୍ ଆସିବା ପରେ ସେ ରିସିଭ୍ କରିଥିଲେ।

ମୁକେଶ ଯୁକ୍ତ ଦୁଇର ଛାତ୍ର। ସେ ଏକ ଲୁଗା ଦୋକାନରେ ପାର୍ଟ ଟାଇମ୍ ଚାକିରି ମଧ୍ୟ କରୁଛନ୍ତି।

କୈମୁର ଏସପି ହରପ୍ରୀତ କୌର କହିଛନ୍ତି ଯେ ସେ ଏସଂପର୍କରେ ପାଟନା ସ୍ଥିତ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଇଛନ୍ତି।