ଆଇଏସ୍ଆଇଏସରେ ଯୋଗ ଦେବାକୁ ଯାଉଥିବା ୩ ଛାତ୍ର ନାଗପୁର ବିମାନବନ୍ଦରରେ ଗିରଫ

ନାଗପୁର: ଆତଙ୍କବାଦୀ ସଂଗଠନ ଆଇଏସଆଏସରେ ଯୋଗ ଦେବାକୁ ଆଫଗାନିସ୍ତାନ ଅଭିମୁଖେ ଯାଉଥିବା ହାଇଦ୍ରାବାଦର ୩ ଛାତ୍ରଙ୍କୁ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି। ତେଲେଙ୍ଗାନା ପୋଲିସ୍ ମହାରାଷ୍ଟ୍ର ଟେରୋରିଷ୍ଟ୍ ସ୍କ୍ୱାଡ୍ (ଏଟିଏସ)ପକ୍ଷରୁ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଇଣ୍ଡିଗୋ ବିମାନରେ ଶ୍ରୀନଗର ଯାଇ ସେଠାରୁ ଆଫଗାନିସ୍ତାନ ଯିବାକୁ ଯୋଜନା କରିଥିଲେ ବୋଲି କୁହାଯାଉଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ଗିରଫ ଛାତ୍ରମାନେ ହାଇଦ୍ରାବାଦରୁ ସଡ଼କ ପଥରେ ନାଗପୁର ଆସିଥିଲେ। ଗୁରୁବାର ଏହି ପିଲାମାନେ ଘର ଛାଡ଼ିଥିଲେ। ତା’ପରେ ସେମାନଙ୍କ ପରିବାର ଲୋକେ ତେଲେଙ୍ଗାନାର ବିଭିନ୍ନ ପୋଲିସ୍ ଷ୍ଟେସନରେ ନିଖୋଜ ମାମଲା ରୁଜୁ କରିଥିଲେ। ସେମାନେ ନାଗପୁର ଯାଇ ସେଠାରୁ ଶ୍ରୀନଗର ଯିବାକୁ ଯୋଜନା କରିଥିବା ନେଇ ତେଲେଙ୍ଗାନା ପୋଲିସ୍ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ମହାରାଷ୍ଟ୍ର ଟେରୋରିଷ୍ଟ୍ ସ୍କ୍ୱାଡକୁ ଜଣାଇଥିଲା।

ଏହା ପୂର୍ବରୁ ଆଇଏସଆଇଏସରେ ଯୋଗ ଦେବାକୁ ଯୋଜନା କରୁଥିବା ପୁନେର ଜଣେ ୧୬ ବର୍ଷର ଝିଅକୁ ଗିରଫ କରାଯାଇଥିଲା।