ତାଜ୍‌ମହଲ ଦେଖିବାକୁ ଯିବେ ନେତନ୍ୟାହୁ: ଯୋଗୀ କରିବେ ସ୍ୱାଗତ, ଅଭେଦ୍ୟ ଦୁର୍ଗ ପାଲଟିଲା ଆଗ୍ରା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଅସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପତ୍ନୀ ସାରାଙ୍କ ସହ ଆଜି ପ୍ରେମର ପ୍ରତୀକ ତାଜ୍‌ମହଲ ଦେଖିବାକୁ ଯିବେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବେ ବୋଲି ଜଣାପଡ଼ିଛି।

ନେତନ୍ୟାହୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଜ୍‌ମହଲ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ସକାଳ ୧୦ଟା ୨୦ରୁ ଅପରାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ସାଧାରଣ ପର୍ଯ୍ୟଟକ ତାଜ୍‌ ବୁଲିବା ଉପରେ କଟକଣା ଲଗାଯାଇଛି। ସକାଳ ୯ଟା ୨୦ ପୂର୍ବରୁ ଟିକେଟ୍‌ ବିକ୍ରି ବନ୍ଦ ହୋଇଯିବ। ନେତନ୍ୟାହୁ ତାଜ୍‌ରୁ ଫେରିବା ପରେ ଅପରାହ୍ନ ସାଢେ ୧୨ଟାକୁ ସାଧାରଣ ପର୍ଯ୍ୟଟକ୍‌ ପୂର୍ବ ପରି ତାଜ୍‌ମହଲ ଦେଖିପାରିବେ।

ଯୋଗୀଙ୍କ ସହ ଲଞ୍ଚ

ନେତନ୍ୟାହୁ ଆଗ୍ରାରେ ପ୍ରାୟ ୪ ଘଣ୍ଟା ରହିବେ। ତାଜ୍‌ ଦେଖିବା ପରେ ହୋଟେଲ ଅମର ବିଲାସରେ ଯୋଗୀଙ୍କ ସହ ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି।

ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା

ନେତନ୍ୟାହୁଙ୍କ ଗସ୍ତକୁ ନେଇ ଆଗ୍ରାରେ ସୁରକ୍ଷର ବ୍ୟବସ୍ଥା ବଢାଇ ଦିଆଯାଇଛି। ସତେ ଯେପରି ଅଭେଦ୍ୟ ଦୁର୍ଗ ପାଲଟିଛି ଆଗ୍ରା। ଏସ୍‌ଏସ୍‌ପି ଅମିତ ପାଠକ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଶିଳ୍ପଗ୍ରାମଠାରୁ ଆରମ୍ଭ କରି ଦଶହରା ଘାଟ, ପୂର୍ବ ଗେଟ୍‌, ଦକ୍ଷିଣ ଗେଟ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ତାଜ୍‌ଗଞ୍ଜରେ ତାଜ୍‌ ଆଖପାଖରେ ଥିବା କୋଠାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ନେତନ୍ୟାହୁ ତାଜ୍‌ମହଲ ଦେଖିବାକୁ ବିମାନ ବନ୍ଦରରୁ ଏହି ରାସ୍ତାରେ ଆସିବାର ଅଛି। ସୁରକ୍ଷା ବ୍ୟବସ୍ଥାରେ ୨୭ଟି ଥାନାର ପୋଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି।