ଅନାଥ ମୋସିଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ୨୬/୧୧ ରାତିରେ ତା’ସହିତ କ’ଣ ଘଟିଥିଲା ?

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ  ଗୁରୁବାର ମୁମ୍ବାଇରେ ବିତାଇଛନ୍ତି। ଏହି ଅବସରରେ ସେ ଭାରତ-ଇସ୍ରାଏଲ ବ୍ୟାବସାୟିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ପରେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ବ୍ୟକ୍ତିଙ୍କ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସେ ଇସ୍ରାଏଲୀ ଶିଶୁ ମୋସି  ହୋଜବର୍ଗଙ୍କୁ ଭେଟିଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ  ମୋସି ନିଜ ମାଆ, ବାପାଙ୍କୁ ହରାଇଥିଲା। ତେବେ ଦୀର୍ଘ ସମୟ ପରେ ମୁମ୍ବାଇକୁ ଆସିଛି ମୋସି। ଜେଜେବାପା ଏବଂ ସମ୍ପର୍କୀୟଙ୍କ ସହ ସେ ମୁମ୍ବାଇ  ଆସିଛନ୍ତି।

୨୬/୧୧ ମୁମ୍ବାଇ ଆକ୍ରମଣରେ ମୋସିଙ୍କ ବାପା ଓ ମାଆଙ୍କ ସହ ଅନ୍ୟ ୬ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ। ୬ଦିନିଆ କାର୍ଯ୍ୟକ୍ରମରୁ ଗୁରୁବାର ତାଙ୍କର ପଞ୍ଚମ ଦିନ ଥିଲା। ଏହି ଅବସରରେ ବ୍ରେକ୍‌ଫାଷ୍ଟ ଟେବୁଲରେ ଏକାଠି ହୋଇଥିଲେ ନେତାନ୍ୟାହୁଙ୍କ ସହ ଭାରତୀୟ କମ୍ପାନୀର କିଛି ସିଇଓ। ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଏବଂ ଆର୍ଥିକ ସମ୍ପର୍କକୁ ମଜଭୁତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।  ପରେ ଭାରତରେ ରହୁଥିବା କିଛି ପ୍ରବାସୀ ଇସ୍ରାଏଲୀଙ୍କୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ।    ପ୍ରଥମ ଇସ୍ରାଏଲ ରାଷ୍ଟ୍ରମୁଖ୍ୟ ଭାବେ ନେତାନ୍ୟାହୁ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇକୁ ଗସ୍ତ କରିଛନ୍ତି।   ନେତାନ୍ୟାହୁଙ୍କ ଗସ୍ତ ଭାରତ ପାଇଁ ସାମରିକ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱବହନ କରେ।