ଇତିହାସ ରଚିଲା ଇସ୍ରୋ, ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍‌ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି।

ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍‌ଏଲଭି-ଏମକେ-୩ ରକେଟ ଚନ୍ଦ୍ରଯାନ-୨ର ମହାକାଶକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ରକେଟ ଭାବେ ପରିଚିତ।

ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ। ଉତକ୍ଷେପଣର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଆଜିଠୁ ଠିକ୍ ୧୬ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରଆଡ଼କୁ ଯାତ୍ରା ଆରମ୍ଭ କରିବ। ଆଗାମୀ ୧୬ ଦିନ ଚନ୍ଦ୍ରଯାନ-୨ ପୃଥିବୀ ଚାରି ପଟେ ୪ ଥର ବୁଲିବ। ଠିକ୍ ୧୬ ଦିନ ପରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ନେଇ ଗଠିତ ଚନ୍ଦ୍ରଯାନ-୨ରେ ୧୪ଟି ପେ ଲୋଡ୍‌ ପଠାଯାଇଛି।

ଏହା ମଧ୍ୟରୁ ୮ଟି ଅର୍ବିଟରରେ ରହିଥିବା ବେଳେ ବିକ୍ରମରେ ୪ଟି ଓ ପ୍ରଜ୍ଞାନରେ ୨ଟି ପେ’ଲୋଡ୍‌ ରହିଛି। ୫ ଦିନରେ ୩ ଲକ୍ଷ ୮୪ ହଜାର କିଲୋମିଟର ପଥ ଅତିକ୍ରମ କରିବା ପରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଏହାପରେ ଚନ୍ଦ୍ରକୁ ୨୭ ଦିନ ଧରି ପରିକ୍ରମା କରିବା ପରେ ଅର୍ବିଟରୁ ଲ୍ୟାଣ୍ଡର୍ ବିକ୍ରମ ପୃଥକ ହେବ।

ଠିକ୍ ୪୮ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ। ଅର୍ବିଟରର ଓଜନ ୨,୩୬୯ କିଗ୍ରା ହୋଇଥିବା ବେଳେ ଲ୍ୟାଣ୍ଡରର ଓଜନ ୧,୪୭୭ କିଗ୍ରା ଏବଂ ରୋଭରର ଓଜନ ୨୬ କିଗ୍ରା। ଏହି ରୋଭର ୫୦୦ ମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ ନିଜସ୍ୱ ସୌର ପ୍ୟାନେଲ ଜରିଆରେ ବିଦ୍ୟୁତ ଶକ୍ତି ସଂଗ୍ରହ କରି ଏହା କାର୍ଯ୍ୟ କରିପାରିବ।

ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଏଥିରୁ ରୋଭର ପ୍ରଜ୍ଞାନ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ସେକେଣ୍ଡକୁ ଏକ ସେଣ୍ଟିମିଟର ବେଗରେ ଏହା ଗତି କରିବା ସହ ୧୪ ଦିନରେ ପ୍ରାୟ ୫ ଶହ ମିଟର ଅତିକ୍ରମ କରିବା ସହ ବହୁ ରହସ୍ୟ ଭେଦ କରିବାରେ ସଫଳ ହେବ ବୋଲି ଇସ୍ରୋ ଆଶା ରଖିଛି।

ଲ୍ୟାଣ୍ଡର ଠାରୁ ରୋଭର ଅଲଗା ହୋଇ ଗୋଟିଏ ଚନ୍ଦ୍ର ଦିବସ, ଯାହା ପୃଥବୀରେ ୧୪ ଦିନ ସହ ସମାନ, ଅବଧି ଲାଗି ଚନ୍ଦ୍ର ପୃଷ୍ଠରେ ପରିଭ୍ରମଣ କରିବ ଏବଂ ପରୀକ୍ଷଣ କରିବ। ଲ୍ୟାଣ୍ଡରର ଅଭିଯାନ ଅବଧି ମଧ୍ୟ ଗୋଟିଏ ଚନ୍ଦ୍ର ଦିବସର। ତେବେ ଚନ୍ଦ୍ରର କକ୍ଷରେ ବୁଲୁଥିବା ଅର୍ବିଟରର ଅଭିଯାନ ଗୋଟିଏ ବର୍ଷ ଲାଗି ଜାରି ରହିବ।

ଚନ୍ଦ୍ରଯାନ-୨ ହେଉଛି ଚନ୍ଦ୍ର ଅଭିମୁଖେ ଭାରତର ଦ୍ୱିତୀୟ ଅଭିଯାନ। ଏଥିରେ ରହିଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରିକ୍ରମଣ ଯାନ ବା ଅର୍ବିଟର (କକ୍ଷପଥରେ ପରିକ୍ରମା କରୁଥିବା ମହାକାଶଯାନ), ବିକ୍ରମ ନାମକ ଲ୍ୟାଣ୍ଡର (ଯାହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ) ଏବଂ ପ୍ରଜ୍ଞାନ ନାମକ ରୋଭର (ମାନବବିହୀନ ମହାକାଶଯାନ ଯାହା ଚନ୍ଦ୍ରପୃଷ୍ଠକୁ ଅନୁଧ୍ୟାନ କରିବ)।

ଲ୍ୟାଣ୍ଡର ବିକ୍ରମ ଭିତରେ ପ୍ରଜ୍ଞାନ ରୋଭରକୁ ସ୍ଥାନିତ କରାଯାଇଛି । ବିଜ୍ଞାନ ଦୃଷ୍ଟିରୁ ଦେଖିଲେ, ଚନ୍ଦ୍ରର ସ୍ଥଳଭାଗ ଅଧ୍ୟୟନ, ଖଣିଜବିଜ୍ଞାନ, ଚନ୍ଦ୍ରପୃଷ୍ଠର ରାସାୟନିକ ଢାଞ୍ଚା, ଥର୍ମୋ-ଭୌତିକ ବିଶେଷତ୍ୱ ଏବଂ ଜଳବାୟୁ ଅନୁଧ୍ୟାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଚନ୍ଦ୍ରଯାନ-୨ ପ୍ରକଳ୍ପ ପାଇଁ ମୋଟ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହି କୃତିତ୍ୱ ଲାଗି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ନଥିଲେ ବି ପୂରା ଲଞ୍ଚ ପ୍ରକ୍ରିୟାକୁ ଟିଭି ପରଦାରେ ଦେଖିବା ସହ ଏଥିପାଇଁ ଦେଶବାସୀ ଗର୍ବିତ ବୋଲି କହି ଟ୍ୱିଟ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଚନ୍ଦ୍ରଯାନ-୨କୁ ମହାକାଶ ପ୍ରେରଣ କରାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କ୍ରାଓଜେନିକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା।