ଦେଶର ସବୁଠାରୁ ଓଜନିଆ ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୧୧ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: କିଛି ମାସର ଅପେକ୍ଷା ପରେ ଦେଶର ସବୁଠାରୁ ଓଜନର ସ୍ୟାଟେଲାଇଟ୍‌ ଜିସ୍ୟାଟ୍‌-୧୧ର ସଫଳ ଉନ୍ମୋଚନ ସମ୍ଭବ ହୋଇପାରିଛି। ଫ୍ରେଞ୍ଚ ଗୁଏନାରେ ଥିବା ୟୁରୋପୀୟ ସ୍ପେଶ୍‌ପୋର୍ଟରୁ ଭୋର ୨.୦୭ ସମୟରେ ଏହି ଇସ୍ରୋ ପ୍ରସ୍ତୁତ ସ୍ୟାଟେଲାଇଟ୍‌ର ଉତ୍‌କ୍ଷେପଣ କରାଯାଇଛି। ଏହାର ଓଜନ ୫,୮୫୪ କିଲୋଗ୍ରାମ୍‌ ରହିଛି।

ଏରିଆନ୍‌ସ୍ପେଶ୍‌ର ଏରିଆନ୍‌-୫ ରକେଟ୍‌ ସହାୟତାରେ ଏହାର ଉତ୍‌କ୍ଷେପଣ କରାଯାଇଛି ଏବଂ ଏହାର ବୈଶିଷ୍ଟ୍ୟ ରହିଛି ଯୋଗାଯୋଗ। ଏହା ସହିତ ଦକ୍ଷିଣ କୋରିଆର ଏକ ଜିଓ ସ୍ୟାଟେଲାଇଟ୍ ମଧ୍ୟ ମହାକାଶରେ ଅବସ୍ଥାପିତ ହେବା ପାଇଁ ପଠାଯାଇଛି।

ଉଡ଼ାଣ ଭରିବାର ୨୯ ମିନିଟ୍‌ ପରେ ଜିସ୍ୟାଟ୍‌-୧୧ ରକେଟ୍‌ଠାରୁ ଅଲଗା ହୋଇ ଜିଓ-ଟ୍ରାନ୍ସଫର କକ୍ଷପଥରେ ସ୍ଥାନ ପାଇଥିଲେ। ମହାକାଶରେ କୌଣସି ସାମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହାର ୪ ମିନିଟ୍‌ ପରେ ଯାଇ କୋରିଆ ସ୍ୟାଟେଲାଇଟ୍‌ ରକେଟ୍‌ରୁ ଅଲଗା ହୋଇଥିଲା।

ଜିସ୍ୟାଟ୍‌-୧୧ରେ ୪୦ଟି ଟ୍ରାନ୍ସପଣ୍ଡର ବା ବେତାର ବର୍ତ୍ତା ପ୍ରେରଣକାରୀ ଯନ୍ତ୍ର ରହିଛି। ଏହା ସେକେଣ୍ଡ ପ୍ରତି ୧୪ ଜିବି ପର୍ଯ୍ୟନ୍ତ ସ୍ପିଡ୍‌ରେ ‘ହାଇ ବ୍ୟାଣ୍ଡୱିଥ୍ କନେକ୍ଟିଭିଟି’ ପ୍ରଦାନ କରିବ। ଏହି ସ୍ୟାଟେଲାଇଟ୍‌ର ଆୟୁ ୧୫ ବର୍ଷଠାରୁ ଅଧିକ ବୋଲି ଜଣାଯାଇଛି।