୮୨ଟି ସାଟେଲାଇଟ୍ ଉତ୍‌କ୍ଷେପଣ କରି ବିଶ୍ୱ ରେକର୍ଡ କରିବ ଇସ୍ରୋ

ନୂଆଦିଲ୍ଲୀ: ଅନେକ ଥର ଭାରତୀୟଙ୍କୁ ଗୌରବାନ୍ୱିତ କରିଥିବା ଇସ୍ରୋ ଆଉ ଏକ ବଡ଼ କାମ କରିବାକୁ ଯାଉଛି। ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରେ ଇସ୍ରୋ ଏକା ସଙ୍ଗେ ୮୨ଟି ସାଟେଲାଟ୍ ଉତ୍‌କ୍ଷେପଣ କରିବ। ଏହି ୮୨ଟି ସାଟେଲାଇଟ୍‌ ମଧ୍ୟରୁ ୬୦ଟି ଆମେରିକାର, ୨୦ଟି ଇୟୁରୋପର ଏବଂ ୨ଟି ୟୁକେର। ମାର୍ସ ମିଶନର ପ୍ରୋଜେକ୍ଟ ଡାଇରେକ୍ଟର ଏସ୍.ଅରୁଣନ ଏହି ସୂଚନା ଦେଇଛନ୍ତି।

ଏକା ଥରକେ ସର୍ବାଧିକ ସାଟେଲାଇଟ୍ ଉତ୍‌କ୍ଷେପଣ କରିବାର ରେକର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ନାଁରେ ଅଛି। ୨୦୧୪ ଜୁନ୍‌ ୧୯ ତାରିଖରେ ଋଷ ଏକା ଥରକେ ୩୭ଟି  ସାଟେଲାଇଟ୍ ଉତ୍‌କ୍ଷେପଣ କରି ରେକର୍ଡ କରିଥିଲା। ଏହା ପରେ ଆମେରିକା ୨୦୧୩ ନଭେମ୍ବର ୧୯ ତାରିଖରେ ଏକା ସାଙ୍ଗରେ ୨୯ଟି ସାଟେଲାଇଟ୍ ଲଞ୍ଚ୍‌ କରିଥିଲା।

୨୦୧୬ ଜୁନ ୨୨ ତାରିଖରେ ଭାରତ ଏକା ସାଙ୍ଗରେ ୨୨ଟି ସାଟେଲାଇଟ୍ ଉତ୍‌କ୍ଷେପଣ କରିଥିଲା।