ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ଦିଗରେ ଅଗ୍ରସର ହେଉଛି ‘ଇସ୍ରୋ’; କିରୋସିନରେ ଉଠିବ ରକେଟ୍‌

ନୂଆଦିଲ୍ଲୀ: ଦେଶର ସବୁଠୁ ଓଜନିଆ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଐତିହାସିକ ଉତ୍‌କ୍ଷେପଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏକ ସେମି କ୍ରାୟୋଜେନିକ୍ ଇଞ୍ଜିନ ବିକଶିତ କରୁଛି। ଏହି ଇଞ୍ଜିନରେ ଇନ୍ଧନ ଭାବେ କିରୋସିନ ବ୍ୟବହାର କରାଯିବ। ଅନ୍ୟ ପାରମ୍ପରିକ ଇନ୍ଧନ ଅପେକ୍ଷା କିରୋସିନକୁ ଅଧିକ ଇକୋ-ଫ୍ରେଣ୍ଡଲି ବୋଲି ବିବେଚନା କରାଯାଉଛି। ଯଦି ସବୁ ଠିକ୍‌ଠାକ୍ ଚାଲେ ୨୦୨୧ରେ ଏହି ଇଞ୍ଜିନର ପରୀକ୍ଷଣ କରାଯିବ।

ରକେଟ୍ ଲଞ୍ଚ୍ କରିବା ବେଳେ ଏହି ସେମି-କ୍ରାୟୋଜେନିକ୍ ବ୍ୟବହାରର ଏକ ଫାଇଦା ହେଉଛି ଏଥିରେ ରିଫାଇନ୍‌ଡ କିରୋସିନ ବ୍ୟବହାର କରାଯିବ ଯାହା ଲିକୁଇଡ୍‌ ଫୁଏଲ୍‌ ତୁଳନାରେ ହାଲ୍‌କା। ଏହାକୁ ସାମାନ୍ୟ ତାପମାତ୍ରାରେ ସଞ୍ଚୟ କରି ରଖାଯାଇପାରିବ। ବର୍ତ୍ତମାନ ବ୍ୟବହାର କରାଯାଉଥିବା ତରଳ ଅମ୍ଳଜାନ ଓ ତରଳ ହାଇଡ୍ରୋଜେନ୍‌ର ମିଶ୍ରଣର ଓଜନ କିରୋସିନଠାରୁ ଅଧିକ। ପୁଣି ଏହି ତରଳ ଇନ୍ଧନକୁ ମାଇନସ୍ ୨୫୩ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡ଼େ।

ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର କେ ସିବନ କହିଛନ୍ତି ଯେ ବିକଶିତ କରାଯାଉଥିବା ଏହି ନୂଆ ଇଞ୍ଜିନ ଦ୍ୱାରା ଆଉ ଏକ ବଡ଼ ଫାଇଦା ମଧ୍ୟ ମିଳିବ। କିରୋସିନ୍ କମ୍ ସ୍ଥାନ ଅଧିକାର କରେ। ତେଣୁ ଇଞ୍ଜିନରେ ଅଧିକ ଇନ୍ଧନ ପକାଯାଇ ପାରିବ। ଏହାର ବ୍ୟବହାର ଦ୍ୱାରା ସବୁଠୁ ବଡ଼ ଫାଇଦା ହେଉଛି ରକେଟ୍ ଜରିଆରେ ଉତ୍‌କ୍ଷେପଣ କରାଯାଉଥିବା ଓଜନକୁ ଚାରି ଟନ୍‌ରୁ ବଢ଼ାଇ ଛଅ ଟନ୍ କରାଯାଇପାରିବ। କିରୋସିନ ଦ୍ୱାରା ଚାଳିତ ଇଞ୍ଜିନରେ ଅଧିକ ଓଜନର ସାଟେଲାଇଟ୍‌କୁ ମହାକାଶକୁ ପଠାଇ ହେବ।

ଏହି ସେମି କ୍ରାୟୋଜେନିକ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟ୍‌ ୨୦୦୮ରେ ଅନୁମତି ଦେଇଥିଲା। ଏଥିପାଇଁ ସେତେବେଳେ ଆନୁମାନିକ ବ୍ୟୟ ଅଟକଳ ଥିଲା ୧୭୯୮ କୋଟି ଟଙ୍କା।