ରାହୁଲଙ୍କ ‘ସମ୍ମାନ’ରେ କଂଗ୍ରେସରେ ଗଣ ଇସ୍ତଫା

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ସମ୍ମାନ’ରେ ଅନେକ କଂଗ୍ରେସ ନେତା ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ଗଣ ଇସ୍ତଫା ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ୮୦ ଜଣ ନେତାଙ୍କ ସ୍ୱାକ୍ଷର ରହିଛି। ଏହି ଇସ୍ତଫାପତ୍ରର ଆରମ୍ଭରେ ଲେଖା ଅଛି, ମୁଁ ରାହୁଲ ଗାନ୍ଧିଙ୍କ ସମ୍ମାନରେ ନିଜ ପଦବୀରୁ ଇସ୍ତଫା ଦେଉଛି।

ଇସ୍ତଫା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏଆଇସିସି ସେକ୍ରେଟାରୀ, ଯୁବ କଂଗ୍ରେସ ନେତା ଏବଂ ମହିଳା କଂଗ୍ରେସ ନେତା ଆଦି ଅଛନ୍ତି। ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ର ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତାମାନେ ଇସ୍ତଫା ଦେଇ ରାହୁଲ ଗାନ୍ଧିଙ୍କୁ ନୂଆ ଟିମ୍‌ ଗଠନ ପାଇଁ ସୁଯୋଗ ଦେଇଛନ୍ତି। ଯଦିଓ ରାହୁଲ ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି, ଏହି ପଦକ୍ଷେପ ଏହାର ମୋଡ଼ ବଦଳାଇବ ବୋଲି ଆଶା କରାଯାଉଛି।

ଗୁରୁବାର ରାତିରେ ଦଳର ଆଇନ୍‌ ଏବଂ ଆରଟିଆଇ ଅଧ୍ୟକ୍ଷ ପଦରୁ ବିବେକ ତନଖା ଇସ୍ତଫା ଦେବାପରେ ଏହି ଗଣ ଇସ୍ତଫା ପର୍ବ ଆରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀ, ମଧ୍ୟ ପ୍ରଦେଶ ଏବଂ ହରିଆଣା ଆଦି ରାଜ୍ୟର କଂଗ୍ରେସ ନେତାମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ତନଖା ଟ୍ୱିଟ୍‌ କରି କହିଛନ୍ତି, ଆମେ ସମସ୍ତେ ଦଳୀୟ ପଦବୀରୁ ଇସ୍ତଫା ଦେବା ଦରକାର। ଫଳରେ ରାହୁଲଙ୍କୁ ନିଜ ଟିମ୍‌ ବାଛିବା ପାଇଁ ସୁବିଧା ହେବ।ଏତେ ଦିନ ଧରି ଅଚଳାବସ୍ଥା ରହିବା ଦଳ ସହ୍ୟ କରିପାରିବ ନାହିଁ।